କଂଗ୍ରେସ ଆଣିଲା ସଙ୍ଗିନ ଅଭିଯୋଗ: ‘କ୍ଷତିପୂରଣ ପାଇଁ ଲାଞ୍ଚ ମାଗୁଛନ୍ତି ଅଧିକାରୀ’

ଢେଙ୍କାନାଳ ଅଫିସ, ୭ା୮-ଢେଙ୍କାନାଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛି ଜିଲା କଂଗ୍ରେସ। କ୍ଷତିପୂରଣ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରି ମଙ୍ଗଳବାର ଦଳୀୟ କର୍ମକର୍ତ୍ତା ଜିଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ୫୫ନଂ. ଜାତୀୟ ରାଜପଥ ଉନ୍ନତୀକରଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାଠାରୁ ପ୍ରଶାସନିକ ଅଧିକାରୀମାନେ ଅହେତୁକ ଅନୁକମ୍ପା ଗ୍ରହଣ କରୁଛନ୍ତି। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଜାଗା ଅଧିଗ୍ରହଣ କରାଯାଉଛି। ହେଲେ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ ବେଳେ ଅଧିକାରୀମାନେ ଲାଞ୍ଚ ମାଗୁଛନ୍ତି। ଭୂଅର୍ଜନ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ କେଉଁ ପରିସ୍ଥିତିରେ ଠିକାସଂସ୍ଥାର ଗାଡ଼ି ବ୍ୟବହାର କରୁଛନ୍ତି, ସେ ନେଇ ଦଳ ସ୍ପଷ୍ଟୀକରଣ ଲୋଡ଼ିଛି। ସେହିପରି କୋରିଅଁା ଛକରେ ଥିବା ଏକ ସିନେମା ହଲ ରାଜପଥ ଉନ୍ନତୀକରଣରେ ଅଧିଗ୍ରହଣ କରାଯାଉଛି। ଉକ୍ତ ସିନେମା ହଲ୍‌ ମାଲିକଙ୍କ କେଉଁ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଦଳୀୟ କର୍ମକର୍ତ୍ତା ଦାବି କରିଛନ୍ତି। ଏ ନେଇ ସପ୍ତାହକ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆବଶ୍ୟକସ୍ଥଳେ ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବାକୁ ଜିଲା କଂଗ୍ରେସ ସଭାପତି ସୁରେଶ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପଟ୍ଟନାୟକ, ନଗର ସଭାପତି ହାଇଦର ମହମ୍ମଦ, ନିଶାକର ସାହୁ, ରୁଦ୍ର ପ୍ରସାଦ ଶରଣ, ବିନୋଦ ମହାରଣା ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, କଂଗ୍ରେସ କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଯିବ। ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।