Categories: ବାଣିଜ୍ୟ

ଓୟୋରୁ ଛଟେଇ ହେଲେ ୧୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ

ନୂଆଦିଲ୍ଲୀ,୧୨-୧ : ଓୟୋ ହୋଟେଲ୍ସ ଭାରତ ଏବଂ ଚାଇନାରେ ଥିବା ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ସଫ୍ଟବ୍ୟାଙ୍କ ସହଯୋଗ ଦ୍ୱାରା ସଞ୍ଚାଳିତ ଏହି କମ୍ପାନୀ ବର୍ତ୍ତମାନ ପ୍ରଭାବିତ ସ୍ଥିତିରେ ରହିଛି। ପରଫରମାନ୍ସ ଭିତ୍ତିରେ କମ୍ପାନୀ ଚାଇନାରେ ୫% ଏବଂ ଭାରତରେ ୧୨% କର୍ମଚାରୀଙ୍କୁ ଛଟେଇ କରି ଦେଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ଚାଇନାରେ ଓୟୋର ୧୨ ହଜାର କର୍ମଚାରୀ କାମ କରୁଥିବା ବେଳେ ଭାରତରେ ୧୦ ହଜାର କର୍ମଚାରୀ କାମ କରୁଛନ୍ତି। ଆସନ୍ତା ୩ ମାସରେ କମ୍ପାନୀ ଆଉ ୧୨୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କହିଛି। ପରଫରମାନ୍ସ ଭିତ୍ତିରେ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ଓୟୋ ପକ୍ଷରୁ ଲାଗାତର ଭାବେ କୁହାଯାଉଛି। ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ସେଲ୍‌ସ, ସପ୍ଲାଇ ଏବଂ ଅପରେଶନ ବିଭାଗର କର୍ମଚାରୀ ରହିଛନ୍ତି। ଛଟେଇ ହେଉଥିବା କର୍ମଚାରୀଙ୍କ ସ୍ଥାନ ପୂରଣ ହେବ କି ନାହିଁ ସେ ସମ୍ପର୍କରେ କମ୍ପାନୀ କୌଣସି ପ୍ରତିକ୍ରିୟା ରଖିନାହିଁ।
କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ, ଟେକ୍ନିକାଲ ଡେଭଲପମେଣ୍ଟ ଯୋଗୁ କାମ ଏବେ କମିଛି। ଏଥି ଲାଗି କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଆଉ କେତେ ଜଣ କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ପଠାଯାଉଛି। ଓୟୋର ବ୍ୟବସାୟ ଧାରା ଉନ୍ନତ ରହି ଆସିଛି। ହେଲେ ଗତ କିଛି ମାସ ଧରି କମ୍ପାନୀ ବିରୋଧରେ କିଛି ଅଭିଯୋଗ ଆସିବା ପରେ ଏହା ଓୟୋର ବ୍ୟବସାୟକୁ ପ୍ରଭାବିତ କରିଛି। ଓୟୋ ସହ ଯୋଡି ହେଉଥିବା ହୋଟେଲ ମାଲିକଙ୍କ ବ୍ୟବହାର ଉନ୍ନତ ନ ଥିବା ଗ୍ରାହକ ଅଭିଯୋଗ କରିଛନ୍ତି। ସଫ୍ଟବ୍ୟାଙ୍କ ଓୟୋରେ ବଡ ପରିମାଣର ନିବେଶ କରିଥିବା ବେଳେ କମ୍ପାନୀ କ୍ଷତି ସହିଥିଲା। ଛଟେଇ ହୋଇଥିବା କର୍ମଚାରୀଙ୍କ ବାର୍ଷିକ ବେତନ ୧୦ରୁ ୧୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି।

Share