ଓସ୍କାର ଦୌଡ଼ରେ ଜୋସେଫ୍‌

ଭୁବନେଶ୍ୱର: ଏକାଡେମୀ ଅଫ୍‌ ମୋଶନ ପିକ୍‌ଚର୍‌ ଆର୍ଟସ ଆଣ୍ଡ ସାଇନ୍ସେସ୍‌ ଦ୍ୱାରା ନିକଟରେ ବିଶ୍ୱର ସର୍ବବୃହତ୍‌ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ ୨୦୧୯ରେ ସାମିଲ ହୋଇଥିବା ଚଳଚ୍ଚିତ୍ରର ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ସାମିଲ ହୋଇଛି ଓଡ଼ିଆ ଫିଲ୍ମ ନିର୍ମାତାଙ୍କ ଚଳଚ୍ଚିତ୍ର ‘ଜୋସେଫ୍‌ (ବର୍ନ ଇନ୍‌ ଗ୍ରେସ୍‌)’। ଓସ୍କାର ପାଇଁ ଯୋଗ୍ୟ ବିବେଚିତ ୩୪୪ଟି ଫିଚର୍‌ ଫିଲ୍ମ ମଧ୍ୟରେ ଏହା ସ୍ଥାନ ପାଇଛି। ଅଶୋକ ମହାପାତ୍ରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଶା ଜନ୍ମିତ ଫିଲ୍ମମେକର ସୁଶାନ୍ତ ମିଶ୍ର। ଫିଲ୍ମର ବିଭିନ୍ନ ଭୂମିକାରେ ଭିକ୍ଟର ବାନାର୍ଜୀ, ଅନାମିକା ଗୋସ୍ବାମୀ, ଦୀପିକା ଏଲିଜାବେଥ୍‌ ଲାକ୍ରା, ହେମା ନୋରିୟାଲ୍‌, ସୁବ୍ରତ ଦତ୍ତ, ଦେବାଶିଷ ସାହୁ, ଗୌତମ ଚାଟାର୍ଜୀ, ଦୀପେଶ ବିଷ୍ଟ୍‌ ପ୍ରମୁଖ ଅଭିନୟ କରିଛନ୍ତି। ଉମାକାନ୍ତ ମହାପାତ୍ରଙ୍କ ଲିଖିତ କ୍ଷୁଦ୍ରଗଳ୍ପ ‘ଜୋସେଫ୍‌’ ଉପରେ ଏହି ଫିଲ୍ମ ପ୍ରସ୍ତୁତ ହୋଇଛି, ଯାହା ୧୯୬୦ରୁ ୧୯୮୦ ମଧ୍ୟରେ ହିମାଳୟ ପାଦଦେଶର ଏକ କାହାଣୀ ଉପରେ ଆଧାରିତ। ‘ଜୋସେଫ୍‌-ବର୍ନ ଇନ୍‌ ଗ୍ରେସ୍‌’ ସୁଶାନ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ ୪ର୍ଥ ଫିଚର ଫିଲ୍ମ ହୋଇଥିବା ବେଳେ ପୂର୍ବରୁ ସେ ୧୯୯୩ରେ ‘ଇନ୍ଦ୍ରଧନୁର୍‌ ଛାଇ’, ୨୦୦୦ରେ ଓଡ଼ିଆ ଫିଲ୍ମ ‘ବିଶ୍ୱପ୍ରକାଶ’ ଏବଂ ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ଚଳଚ୍ଚିତ୍ର ‘ଧରିନି’କୁ ନିର୍ଦ୍ଦେଶନା ଦେଇଥିଲେ।