Categories: ଜାତୀୟ

ଓଲଟିଲା ମାଛ ଟ୍ରକ୍‌: ଲୋକେ ନେଲେ ବୋହି

ନୂଆଦିଲ୍ଲୀ,୨୨।୧: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ୍‌ ମାଛ ଟ୍ରକ୍‌ ଏବଂ ଟ୍ରଲର ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ମାଛ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାସ୍ତା ଉପରେ ମାଛ ପଡ଼ି ରହିଥିଲା। ସ୍ଥାନୀୟ ଲୋକେ ସହାୟତା କରିବା ପରିବର୍ତ୍ତେ ମାଛ ଘରକୁ ବୋହି ନେଇଥିଲେ। କେଇ ମିନିଟ୍‌ ମଧ୍ୟରେ ମାଛ ଟ୍ରକ୍‌ ଖାଲି ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜସ୍ଥାନ ଟୋଙ୍କ ଜିଲାରୁ ମାଛ ବୋଝେଇ ଟ୍ରକ୍‌ ବିହାରର ମାଝୋପୁର ମାଛ ଫାର୍ମକୁ ଯାଉଥିଲା। ଫିରୋଜାବାଦ୍‌ ମୈନପୁରୀଠାରେ ଏହା ଧକ୍କା ପରେ ଓଲଟି ପଡ଼ିଥିଲା। ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନ ଯିବାରୁ ଏଭଳି ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ତେବେ ପୋଲିସ ଆସିବା ପୂର୍ବରୁ ଘନ କୁହୁଡ଼ିକୁ ଖାତିର ନ କରି ମାଛ ଲୁଟି ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ଯାଇଥିଲା। ଡ୍ରାଇଭର ଏବଂ ଅନ୍ୟ ୩ ସହକର୍ମୀ ମାଛ ଲୁଟ ସମୟରେ କେବଳ ନୀରବ ଦର୍ଶକ ପାଲଟି ଥିବା କହିଛନ୍ତି।

Share