Categories: ଜାତୀୟ

ଓବିସି ତାଲିକାରେ ବଢ଼େଇ ଜାତିକୁ ନେଇ ସଂଶୋଧନ: କେନ୍ଦ୍ରକୁ ଅନୁରୋଧ କଲେ ଭର୍ତ୍ତୃହରି

ନୂଆଦିଲ୍ଲୀ,୨୦ା୧୧: କେନ୍ଦ୍ରୀୟ ତାଲିକାର ଅନ୍ୟ ପଛୁଆ ବର୍ଗ (ଓବିସି)ରେ ରହିଥିବା ‘ବଢ଼େଇ’ ଜାତିରେ ସଂଶୋଧନ ପାଇଁ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କଟକ ଏମ୍‌ପି ଭର୍ତ୍ତୃହରି ମହତାବ ମଙ୍ଗଳବାର ଲୋକ ସଭା ପରିସରରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାଓ୍ବରଚନ୍ଦ ଗେହଲଟଙ୍କୁ ସାକ୍ଷାତ କରି ଏକ ପତ୍ର ଦେଇଥିଲେ। ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ହାଇକୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରିପ୍ରେକ୍ଷୀରେ କେନ୍ଦ୍ରୀୟ ତାଲିକାର ଓବିସିରେ ‘ବଢ଼େଇ’ ଜାତିକୁ ନେଇ ସଂଶୋଧନ କରିବା ପାଇଁ ପଛୁଆ ବର୍ଗଙ୍କ ପାଇଁ ଜାତୀୟ ଆୟୋଗଙ୍କ ନିକଟକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ଦୁଇଟି ପ୍ରସ୍ତାବ ପଠାଇଛି। କିନ୍ତୁ ମନ୍ତ୍ରଣାଳୟ ପକ୍ଷରୁ ଅଦ୍ୟାବଧି ଏନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଫଳରେ ଏହି ବର୍ଗର ଲୋକେ ଓବିସି ପ୍ରମାଣପତ୍ର ପାଇପାରୁ ନାହାନ୍ତି। ତେଣୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଁ ବିହିତ ପଦକ୍ଷେପ ନେବାକୁ ସେ ଗେହଲଟଙ୍କୁ ଅନୁରୋଧ କରିଛନ୍ତି।

Share