ଓବାମାଙ୍କ ଫେଭରାଇଟ୍‌ ମ୍ୟୁଜିକ୍‌ ତାଲିକାରେ ପ୍ରତୀକଙ୍କ ଆଲ୍‌ବମ୍‌

ନୂଆଦିଲ୍ଲୀ: ସଙ୍ଗୀତ ବିନା ଜୀବନ ରଙ୍ଗହୀନ। ଏହାର ଯାଦୁରେ ସମସ୍ତେ ମତୁଆଲା। ମନରେ ନୂଆ ଆନନ୍ଦ ଆଣିଦେଇଥାଏ ସଙ୍ଗୀତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ମଧ୍ୟ ଜଣେ ସଙ୍ଗୀତପ୍ରେମୀ। ସମଗ୍ର ବିଶ୍ୱର ଲୋକପ୍ରିୟ ଗାୟକଙ୍କ ଗୀତ ସେ ଶୁଣିଥାନ୍ତି। ୨୦୧୯ ରେ ସେ ଶୁଣିଥିବା ଗୀତ ମଧ୍ୟରେ ତାଙ୍କ ପସନ୍ଦର ଗୀତଗୁଡ଼ିକର ଏକ ତାଲିକା ସେ ପ୍ରସ୍ତୁତ କରିଛନ୍ତି। ଏଥିରେ ୩୫ଟି ଗୀତ ଏବଂ ଆଲ୍‌ବମ୍‌ ରହିଛି। ଓବାମାଙ୍କ ପ୍ରସନ୍ଦର ଗୀତ ତାଲିକାରେ ବେୟୋନ୍ସ, ଲିଜ୍ଜୋ, ନୀଲ୍‌ ନସ୍‌ ଏକ୍ସ, ବ୍ରୁଶ୍‌ ସ୍ପ୍ରିଙ୍ଗ୍‌ସ୍‌ଟିନ୍‌, ଫ୍ରାଙ୍କ୍‌ ଓସେନ୍‌, ମ୍ୟାଗି ରୋଜର୍ସଙ୍କ ଭଳି ବିଶ୍ୱର ଲୋକପ୍ରିୟ ଗାୟକଙ୍କ ଗୀତ ସାମିଲ୍‌ ଥିବାବେଳେ ସେଥିରେ ଭାରତୀୟ ଗାୟକ ପ୍ରତୀକ୍‌ କୁହାଡ଼୍‌ଙ୍କ ଏକ ଆଲ୍‌ବମ୍‌ ‘କୋଲ୍ଡ/ମେଶ୍‌’ ମଧ୍ୟ ରହିଛି। ପ୍ରତୀକ୍‌ଙ୍କ ଏହି ଆଲ୍‌ବମ୍‌ ୨୦୧୮ ଶେଷ ପର୍ଯ୍ୟାୟରେ ମୁକ୍ତିଲାଭ କରିଥିଲା। ଓବାମା ଏହି ତାଲିକାକୁ ଟୁଇଟ୍‌ କରିଥିବାବେଳେ ଏହାର ରିଟୁଇଟ୍‌ କରିଥିଲେ, କୋଲ୍ଡ/ମେଶ୍‌ ତାଙ୍କ ନିକଟରେ କିପରି ପହଞ୍ଚିଲା ତାହା ମୁଁ ଜାଣିନି, ଓବାମା ଏବଂ ସମଗ୍ର ବିଶ୍ୱକୁ ମୁଁ କୃତଜ୍ଞତା ଜଣାଉଛି। ଏହା ମୋ ପାଇଁ ଏକ ବଡ଼ ସମ୍ମାନ। ୨୦୧୯ ମୋ ପାଇଁ ଏତେ ସଫଳତା ଆଣିଦେବ ବୋଲି ଭାବି ନ ଥିଲି। ଓବାମା ନିଜ ଗୀତ ତାଲିକା ସହ ଲେଖିଛନ୍ତି, କୌଣସି ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଉଥିଲେ କିମ୍ବା ବ୍ୟାୟାମ ସମୟରେ ମ୍ୟୁଜିକ୍‌ର ଆବଶ୍ୟକତା ଥିଲେ ଏଥିରେ ଥିବା କେତୋଟି ଗୀତ ନିଶ୍ଚୟ ପସନ୍ଦ ଆସିବ। ଅନ୍ୟପକ୍ଷରେ ଓମାବାଙ୍କ ଗୀତ ତାଲିକା ସୋସିଆଲ୍‌ ମିଡିଆରେ ଶେୟାର୍‌ କରାଯିବା ପରେ ସମଗ୍ର ବିଶ୍ୱର ସଙ୍ଗୀତ ପ୍ରେମୀ ଜୟପୁର(ରାଜସ୍ଥାନ)ର କୁହାଡ଼୍‌ଙ୍କୁ ଖୋଜୁଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଛି।

Share