Categories: ଖେଳ

ଓପନ ବର୍ଗରେ ଜିତିଲେ ଭାରତ ଏ, ବି

ମାମଲ୍ଳାପୁରମ୍‌, ୬ା୮ (ପି.ଟି): ଚେନ୍ନାଇର ମାମଲ୍ଲାପୁରମରେ ଖେଳାଯାଉଥିବା ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡର ଓପନ ବର୍ଗରେ ଭାରତ ଏ ଓ ବି ବିଜୟୀ ହୋଇଛନ୍ତି। ଭାରତ ଏ ଓ ଭାରତ ସି ମଧ୍ୟରେ ମୁକାବିଲାକୁ ସିନୟର ଦଳ ୩-୧ରେ ଜିତି ନେଇଥିଲା। ଅର୍ଜୁନ ଇରିଗାସୀ ଏବଂ ଏସ୍‌ ଏଲ୍‌ ନାରାୟଣନ ଯଥାକ୍ରମେ ଅଭିଜିତ୍‌ ଗୁପ୍ତା ଓ ଅଭିମନ୍ୟୁ ପୁରାଣିକଙ୍କୁ ପରାସ୍ତ କରିଥିଲେ। କ୍ୟୁବାକୁ ୩.୫-୦.୫ ବ୍ୟବଧାନରେ ପରାସ୍ତ କରିଛି ଇଣ୍ଡିଆ ବି। ଗ୍ରାଣ୍ଡମାଷ୍ଟର ଡି ଗୁକେଶ କ୍ୟୁବାର କାର୍ଲୋସ୍‌ ଆଲବୋର୍ନୋଜ କାବ୍ରେରାଙ୍କୁ ହରାଇ ଲଗାତାର ସପ୍ତମ ବିଜୟ ହାସଲ କରିଥିବା ବେଳେ ଭାରତ ବି ବିଜୟୀ ହୋଇଛି। ଭାରତ ବି ୭ଟି ମ୍ୟାଚରୁ ୬ଟିରେ ବିଜୟୀ ହୋଇଥିବା ବେଳେ ଆର. ପ୍ରଜ୍ଞାନନ୍ଦ, ନିହାଲ ସରିନ୍‌ ଏବଂ ବି ଅଧିବନ୍‌ ମଧ୍ୟ ସମାନ ସଂଖ୍ୟକ ମ୍ୟାଚରେ ବିଜୟୀ ହୋଇଛନ୍ତି।
ମହିଳା ବର୍ଗରେ ଟପ୍‌ ସିଡ୍‌ ଭାରତ ଏ ୨.୫-୧.୫ ରେ ଆଜରବୈଜାନକୁ ପରାସ୍ତ କରିଛି। କୋନେର ହମ୍ପିଙ୍କୁ ଗୁନାୟ ମାମ୍ମାଦଜାଦା ପରାସ୍ତ କରିଥିବା ବେଳେ ଡି ହାରିକାଙ୍କ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ତେବେ ତାନିଆ ସଚଦେବ ଓ ଆର. ବୈଶାଳୀଙ୍କ ବିଜୟ ସହିତ ଭାରତ ପଛରୁ ଆସି ମ୍ୟାଚ୍‌ ଜିତିବା ସହିତ ଅପରାଜେୟ ଧାରା ବଜାୟ ରଖିଥିଲା। ଭାରତ ବି ଦଳ ୧.୫ -୨.୫ ପଏଣ୍ଟରେ ଗ୍ରୀସ ନିକଟରୁ ପରାଜିତ ହୋଇଛି। ଭାନ୍ତିକା ଅଗ୍ରଓ୍ବାଲ ଓ ସୌମ୍ୟା ସ୍ବାମୀନାଥନ ନିଜ ମୁକାବିଲାରେ ପରାଜିତ ହୋଇଥିଲେ। ଇଣ୍ଡିଆ ସି ପକ୍ଷରୁ ଇଶା କରାବଡେ ଓ ପି ଭି ନନ୍ଦିଥା ବିଜୟୀ ହୋଇଥିବା ବେଳେ ସ୍ବିଜରଲାଣ୍ଡ ବିପକ୍ଷରେ ଦଳ ୨.୫-୦.୫ରେ ଅଗ୍ରଣୀ ରହିଛି।

Share