Categories: ଅନୁଗୋଳ

ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ: ସମାଜର ମଙ୍ଗଳ ପାଇଁ ଏକାଠି ହେବାକୁ ଆହ୍ବାନ

ବନ୍ତଳା,୩୦।୧୨(ଡି.ଏନ.ଏ.) – ଅନୁଗୋଳ ବାର୍‌ ଆସୋସିଏଶନ ନେତୃତ୍ୱରେ ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ରବିବାର ଅନୁଗୋଳ ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ଆଇନଜୀବୀ ସଂଘ ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ଅଭ୍ୟର୍ଥନା କମିଟି ଚେୟାରମ୍ୟାନ ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ଅନୁଗୋଳ ବାର୍‌ ଆସୋସିଏଶନ ସଭାପତି ଜିତେନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଶା ଆଇନଜୀବୀ ସଂଘ ଉପଦେଷ୍ଟା ବିଭୁ ପ୍ରସାଦ ଦ୍ୱିବେଦୀ ଆଡଭୋକେଟ ପ୍ରୋଟେକ୍ସନ ଆକ୍ଟ ସହ ଓକିଲମାନଙ୍କ ପାଇଁ ଜୀବନବୀମା ଓ ହେଲଥ୍‌କାର୍ଡ ଆଦି ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ସ୍ବତନ୍ତ୍ର ଅତିଥି ଭାବେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଯୋଗଦେଇ ଓକିଲମାନଙ୍କୁ ସମସ୍ତଙ୍କ ବନ୍ଧୁ ବୋଲି କହିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ଯୋଗଦେଇ ନୂଆ କରି ଯେଉଁମାନେ ଓକିଲ ହୋଇ ଯୋଗଦାନ କରୁଛନ୍ତି ସେମାନଙ୍କୁ ବରିଷ୍ଠ ଓକିଲମାନେ ଗାଇଡ୍‌ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ସେ କହିଥିଲେ, ଅନୁଗୋଳ ଜିଲାରେ ପ୍ରଦୂଷଣ ବଢିଛି। ଏଠାରେ ବହୁ ଶିଳ୍ପ ଓ ଖଣି ଖାଦାନ ଥିଲେ ବି ଜିଲାକୁ ନ୍ୟାୟ ମିଳୁନି। ଏଥିପାଇଁ ସମସ୍ତେ ମିଳିମିଶି କାମ କଲେ ସମାଜର ମଙ୍ଗଳ ହେବ ବୋଲି ମନ୍ତ୍ରୀ କହିଥିଲେ। ଓଡ଼ିଶା ଆଇନଜୀବୀ ସଂଘ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିଲେ। ଉପସଭାପତି ମିତ୍ରଭାନୁ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଅନୁଗୋଳ ବାର୍‌ ଆସୋସିଏଶନ ସମ୍ପାଦକ ହିମାଂଶୁ ଭୂଷଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପୂର୍ବରୁ ଅତିଥିମାନେ ‘ଦି ଲୟାର’ ପତ୍ରିକାକୁ ଉନ୍ମୋଚନ କରିଥିଲେ। ଏଥିରେ ରାଜ୍ୟର ସବୁ ଜିଲାର ବରିଷ୍ଠ ଓକିଲମାନେ ଯୋଗ ଦେଇଥିଲେ। ଅନୁଗୋଳ ବାର୍‌ ଆସୋସିଏଶନ ଉପ ସଭାପତି ଦିଲୀପ କୁମାର ସାହୁ, କୋଷାଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ସୁଶାନ୍ତ କୁମାର ବାରିକ, ସାଂସ୍କୃତିକ ସମ୍ପାଦକ ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କ ସମେତ ଜିଲା ବାର ଆସୋସିଏଶନର ସମସ୍ତ ଓକିଲ ସହଯୋଗ କରିଥିଲେ। ଅପରାହ୍ନରେ ‘ସମ୍ବିଧାନର ଭବିଷ୍ୟତରେ ଓକିଲଙ୍କ ଭୂମିକା ଓ କର୍ତ୍ତବ୍ୟ’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ସୁଜିତ କୁମାର ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ଆଇନଜୀବୀ ସଂଘ ଉପସଭାପତି ଭୂପେଶ ପ୍ରଧାନ, ତାଳଚେରର ବରିଷ୍ଠ ଓକିଲ ଦେବୀ ପ୍ରସାଦ ରଥ, ଅନୁଗୋଳ କୋର୍ଟର ବରିଷ୍ଠ ଓକିଲ ପରମାନନ୍ଦ ମିଶ୍ର, ସୁବାସ ଚନ୍ଦ୍ର ମିଶ୍ର, ଦିଲୀପ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।