Categories: ବାଣିଜ୍ୟ

ଓଡ଼ିଶାର ୨୦% ଲୋକ ବୀମାଭୁକ୍ତ: ଏଲ୍‌ଆଇସି ଅଧ୍ୟକ୍ଷ

କଟକ, ୨୧-୭: ଓଡ଼ିଶାର ୨୦% ଲୋକ ବୀମାଭୁକ୍ତ ଅଛନ୍ତି। ଏଠାରେ ଆହୁରି ୮୦% ଲୋକଙ୍କୁ ବୀମାଭୁକ୍ତ କରାଇବାର ଆବଶ୍ୟକତା ରହିଛି। ଏ ଦିଗରେ ଅଂଶୀଦାରମାନେ କାର୍ଯ୍ୟ କରିବା ଉଚିତ ବୋଲି ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଅଧ୍ୟକ୍ଷ ଏମ୍‌ .ଆର୍‌. କୁମାର ଶନିବାର ଏହା କହିଛନ୍ତି। କଟକରେ କମ୍ପାନୀର ଅଧିକାରୀ ଏବଂ ଅଂଶୀଦାରଙ୍କୁ ଆହ୍ବାନ ଜଣାଇ କୁମାର କହିଛନ୍ତି ଯେ, ପଲିସି ଧାରକଙ୍କ ଆବଶ୍ୟକତାକୁ ଦେଖିବାକୁ ହେବ। ସେହି ଅନୁଯାୟୀ ବୀମା ବିକ୍ରି ଏବଂ ଏନ୍‌ଏସିଏଚ୍‌ ମାଧ୍ୟମରେ ଅଧିକ ସଂଖ୍ୟାରେ ପ୍ରିମିୟମ ଦେୟ ସଂଗ୍ରହ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
କଟକ ମଣ୍ଡଳ କାର୍ଯ୍ୟାଳୟର ଆଧୁନିକୀକରଣ କାର୍ଯ୍ୟକୁ କୁମାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ କୁମାରଙ୍କୁ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ଅଧିକାରୀ, କର୍ମଚାରୀ, ଯନ୍ତ୍ରୀ ଏବଂ ଅଭିକର୍ତ୍ତାଙ୍କୁ ଉଦ୍‌ବୋଧନ ସହ ଶୁଭେଚ୍ଛା ପ୍ରଦାନ କରିଥିଲେ। ସେହିଭଳି କଟକର ଏକ ହୋଟେଲରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୁମାର କଟକ ସମେତ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁର ମଣ୍ଡଳର ସଫଳ ବିକାଶ ଅଧିକାରୀ, ସିଏଲ୍‌ଆଇଏ, ଅଭିକର୍ତ୍ତାଙ୍କୁ ଭେଟିଥିଲେ। କାର୍ଯ୍ୟକ୍ରମରେ ଇଡି ଡି.କେ.ବାନାର୍ଜି, ପୂର୍ବ ମଧ୍ୟକ୍ଷେତ୍ରୀୟ ପାଟନା କାର୍ଯ୍ୟାଳୟର ପ୍ରବନ୍ଧକ ମହେନ୍ଦ୍ର କୁମାର, ଆଞ୍ଚଳିକ ବିପଣନ ପ୍ରବନ୍ଧକ ଆର୍‌.ପି. ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ରାଉତରାୟଙ୍କୁ ଅଧ୍ୟକ୍ଷ ସମ୍ମାନୀତ କରିଥିଲେ।

Share