Categories: ଗଞ୍ଜାମ

ଓଡ଼ିଶାରେ ମହିଳା ଅଧିକ ସଶକ୍ତ

ବ୍ରହ୍ମପୁର ଅଫିସ, ୮ା୩: ନାରୀ ଶିକ୍ଷା ଗବେଷଣା କେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ା ବିଶ୍ୱବିଦ୍ୟାଳୟର କୁଳପତି ଗୋବିନ୍ଦ ଜେ. ଚକ୍ରପାଣି ଏଥିରେ ଅଧ୍ୟକ୍ଷତା କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ମହିଳା ଦିବସ ପାଳନ କରିବା ପାଇଁ ୧୯୭୫ ମାର୍ଚ୍ଚ ୮ରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ନିଷ୍ପତ୍ତି ନିଆଯାଇଥିଲା ା ଉତ୍ତମ ସମାଜ, ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି କୁଳପତି କହିଥିଲେ। ସେହିପରି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ଶକ୍ତିକୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ। ସେମାନଙ୍କ ସମ୍ମାନ ଓ ସ୍ବାଭିମାନ ରକ୍ଷା କରିବା ସହ ସେମାନଙ୍କୁ ସଶକ୍ତୀକରଣ କରିବା ଦିଗରେ ଅନେକଗୁଡିଏ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନିଆଯାଉଛି ା ଅନ୍ୟପକ୍ଷରେ ମହିଳାଙ୍କ ପ୍ରତି ବ୍ୟବହାରରେ ପରିବର୍ତ୍ତନ ନ ଆଣି, ଆମେ ଯେତେ ଦିବସ ପାଳନ କଲେ ମଧ୍ୟ ତାହାର ମହତ୍ତ୍ୱ ରହିବ ନାହିଁ ବୋଲି ଜିଲାପାଳ କହିଥିଲେ। କାର୍ଯ୍ୟକ୍ରମରେ ଜିଲାପାଳଙ୍କ ପତ୍ନୀ ନିର୍ମଳା କୁଲାଙ୍ଗେ ଯୋଗଦେଇ, ସଶକ୍ତ ମହିଳା ମାନଦଣ୍ଡଠାରୁ ମଧ୍ୟ ଶକ୍ତିଶାଳୀ ଏବଂ ବର୍ଣ୍ଣନାଠାରୁ ଆହୁରି ସୁନ୍ଦର ଅଟନ୍ତି। ସବୁକ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ଉତ୍ସାହିତ କରିବା ଆବଶ୍ୟକ ବୋଲି ସେ କହିଥିଲେ ା ନାରୀ ଶିକ୍ଷା ଗବେଷଣା କେନ୍ଦ୍ରର ମୁଖ୍ୟ ପୁଷ୍ପାଞ୍ଜଳି ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା