ଓଡ଼ଗାଁ ଏନ୍‌ଏସି, ପୋଲିସର ମିଳିତ ଚଢ଼ାଉ: ମାସ୍କ ନ ପିନ୍ଧି ଗଣିଲେ ଜରିମାନା

ଓଡ଼ଗାଁ,୧୯ା୪(ସ୍ବ.ପ୍ର.): ସମଗ୍ର ରାଜ୍ୟରେ କରୋନା ପାଇଁ କଟକଣା ଲାଗି ରହିଥିବା ବେଳେ ପ୍ରତିକାର ନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ଏପରିସ୍ଥଳେ ନୟାଗଡ଼ ଜିଲା ଓଡ଼ଗାଁ ଏନ୍‌ଏସି ଅଞ୍ଚଳରେ ଲୋକେ ଏହାକୁ ଫୁ କରି ଅନାୟସରେ ବୁଲିବାକୁ ପସନ୍ଦ କରୁଥିଲେ। ଏନେଇ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରବିବାର ସ୍ଥାନୀୟ ବଜାରରେ ପୋଲିସ ଓ ଏନ୍‌ଏସି କର୍ମଚାରୀ ମିଳିତ ଭାବେ ଯାଞ୍ଚ କରି ମାସ୍କ ପିନ୍ଧି ନ ଥିବା ବାଇକ୍‌ ଚାଳକ, ଟ୍ରକ ଚାଳକ ଓ ସାଧାରଣ ଲୋକଙ୍କଠାରୁ ଜରିମାନା ଆଦାୟ କରିଛନ୍ତି। ମଧ୍ୟାହ୍ନ ସୁଦ୍ଧା ୨୦ ଜଣଙ୍କଠାରୁ ୨୦୦ ଟଙ୍କା ଲେଖାଏ ଆଦାୟ କରିବା ସହିତ ସେମାନଙ୍କୁ ପୋଲିସ ଗୋଟିଏ ଲେଖାଏ ମାସ୍କ ପିନ୍ଧାଇ ଛାଡ଼ିଥିଲା। ଏ ଖବର ପ୍ରଚାର ହେବାର କିଛି ସମୟ ଭିତରେ ପ୍ରାୟ ସବୁ ଲୋକଙ୍କୁ ମାସ୍କ ପିନ୍ଧି ବଜାରରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଏହିପରି ଚଢ଼ାଉ ସାହି ସାହିରେ କରିବାକୁ ପୋଲିସ ପ୍ରସ୍ତୁତି ହେଉଥିବା ଏସ୍‌ଆଇ ସଞ୍ଜୟ କୁମାର ପରିଡ଼ା ପ୍ରକାଶ କରିଛନ୍ତି।