Categories: ଜାତୀୟ

ଓକିଲଙ୍କ ବିରୋଧରେ ତାତିଲେ ପୋଲିସ: ହେଡ୍‌କ୍ୱାଟର ସମ୍ମୁଖରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୫।୧୧: ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ବାହାରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ହିଂସା ମାମଲା ଏବେ ଉଗ୍ରରୂପ ଧାରଣ କରିଛି। ମଙ୍ଗଳବାର ସକାଳେ ଦିଲ୍ଲୀର ପୋଲିସ ହେଡ୍‌କ୍ୱାଟର ସମ୍ମୁଖରେ ବହୁ ମାତ୍ରାରେ ପୋଲିସ ଯବାନ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଯବାନମାନେ ନିଜ ହାତରେ କଳା ପଟି ବାନ୍ଧି ଓକିଲଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ କରିବା ସହ କମିଶନରଙ୍କୁ ନିଜର ଦାବି ଜଣାଇବୁ ବୋଲି ସୁରକ୍ଷାକର୍ମୀ କହିଛନ୍ତି। ସେହିପରି ପୋଲିସଙ୍କ ସହ ହେଉଥିବା ଦୁର୍ବବ୍ୟହାର କଦାଚିତ୍‌ ଠିକ୍‌ ନୁହେଁ। ପୋଲିସ ପୋଷାକ ପିନ୍ଧିବାକୁ ଆମକୁ ଡର ଲାଗୁଛି, କାରଣ ପୋଷାକକୁ ଦେଖିବା ମାତ୍ରେ ଓକିଲ ପୋଲିସ ଯବାନଙ୍କୁ ପିଟୁଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଗତ କିଛି ଦିନରୁ ଓକିଲମାନେ ପୋଲିସ ଓ ଜନସାଧାରଣଙ୍କ ଉପରେ ଖରାପ ବ୍ୟବହାର କରୁଛନ୍ତି। ହେଲେ ବରିଷ୍ଠ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କୋର୍ଟର ରାୟ ଆସିଥିବା ବେଳେ ପୋଲିସଙ୍କୁ ସଂଯମତା ରଖିବା ସହ ନିଜ କାର୍ଯ୍ୟକୁ ଫେରିଯିବା ପାଇଁ ଡିସିପି ନିବେଦନ କରିଛନ୍ତି। ଏହି ମାମଲାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଚର୍ଚ୍ଚା ଚାଲିଛି ବୋଲି ଡିସିପି କହିଛନ୍ତି।

Share