ଓଏମ୍‌ସି ଷ୍ଟାଫ୍‌ ବସ ଉପରକୁ ତୀରମାଡ଼, ଜଣେ ଗୁରୁତର

କେନ୍ଦୁଝର,୨୩।୧୦(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଦୈତାରୀ ମାଇନ୍ସରୁ କାମ ସାରି କର୍ମଚାରୀଙ୍କୁ ଧରି ଫେରୁଥିବା କମ୍ପାନୀ ବସ ଉପରେ ଦୁର୍ବୃତ୍ତଙ୍କ ଧନୁତୀରରେ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତୀରମାଡ଼ରେ ଜଣେ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।


ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ ଓଏମ୍‌ସି ମାଇନସରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ବସ୍‌ଟି ଦୈତାରୀରୁ ବଳିପର୍ବତ ଅଭିମୁଖେ ଆସୁଥିବା ସମୟରେ ତାରିଣୀ ଗେଟ୍‌ ନିକଟରେ ବସ ଉପରକୁ ଦୁର୍ବୃତ୍ତମାନେ ତୀରମାଡ଼ କରିଥିଲେ। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ଯାଜପୁର ଅଞ୍ଚଳର ଉତ୍ତମ ମହାନ୍ତ ବୋଲି ଜଣାପଡ଼ିଛି। ସେ କେସିସି ଠିକା କମ୍ପାନୀରେ କାମ କରୁଛନ୍ତି। ତୀରଟି ସିଧା ଉତ୍ତମଙ୍କ ପେଟରେ ପଶି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ କଳିଙ୍ଗନଗରସ୍ଥ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଦୀର୍ଘ ୪ଘଣ୍ଟା ଅପରେଶନ କରାଯାଇ ତୀରଟି ବାହାର କରାଯାଇଛିଅନ୍ୟପକ୍ଷରେ ଉକ୍ତ ବସ ମଧ୍ୟରେ ଅନେକ ତୀର ଏବେ ବି ଲାଗିରହିଛି । ତୀରମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ଏହା ୟୁନିୟନ ବିବାଦ କିମ୍ବା କିଛି ଦିନ ପୂର୍ବରୁ ହୋଇଥିବା ଜନଶୁଣାଣିକୁ ନେଇ ଏହିଭଳି କାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। କିଛି ବର୍ଷ ପୂର୍ବରୁ ମଧ୍ୟ ଏହିଭଳି ତୀରମାଡ଼ ହୋଇଥିବାର ନଜିର ରହିଛି । ପୋଲିସର ତଦନ୍ତ ପରେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ।