Categories: ଜାତୀୟ

ଓଏନ୍‌ଜିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ: ୪ ମୃତ

ମୁମ୍ବାଇ, ୪ା୯: ମୁମ୍ବାଇଠାରୁ ୪୫ କି.ମି. ଦୂର ଉରାନ୍‌ସ୍ଥିତ ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ୍‌ ପ୍ରୋସେସିଂ ପ୍ଲାଣ୍ଟ ଓଏନ୍‌ଜିସିରେ ମଙ୍ଗଳବାର ସକାଳେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ ୩ ସିଆଇଏସ୍‌ଏଫ୍‌ (କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ)ର ଯବାନଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ନିଆଁ ଲାଗିବା ପରେ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ପ୍ଲାଣ୍ଟର ୧ କି.ମି. ଅଞ୍ଚଳକୁ ସିଲ୍‌ କରିଥିଲେ। ଅଗ୍ନିକାଣ୍ଡର ପ୍ରକୋପ ଏତେ ଅଧିକ ଥିଲା ଯେ, ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଦୁଇଘଣ୍ଟା ପରେ ନିଆଁ ଉପରେ ନିୟନ୍ତ୍ରଣ ସମ୍ଭବ ହୋଇଥିଲା।
ଦୁର୍ଘଟଣା ପରେ ପାଇପ୍‌ଲାଇନ୍‌ରେ ଲୋ ପ୍ରେସର୍‌ ଯୋଗୁ ମୁମ୍ବାଇର ଅନେକ ଜାଗାକୁ ସିଏନ୍‌ଜି ଯୋଗାଣ ସମ୍ଭବ ହୋଇପାରି ନ ଥିବା ଜଣାପଡ଼ିଛି। ଓ୍ବାଦାଲାରେ ଏମ୍‌ଜିଏଲ୍‌ ସିଟିଗେଟ୍‌ ଷ୍ଟେଶନ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପ୍ରକାଶ। ଏଥିଲାଗି ମହାନଗର ଗ୍ୟାସ୍‌ କମ୍ପାନୀ ଉପଭୋକ୍ତାମାନଙ୍କୁ ବିକଳ୍ପ ଦେଖିବାକୁ ଅନୁରୋଧ କରିଛି।

Share