Categories: ବାଣିଜ୍ୟ

ଏୟାର ଇଣ୍ଡିଆ ଲାଗି ବିଦେଶୀ ବିଡର ଆକୃଷ୍ଟ କରିବାକୁ ଯୋଜନା

ନୂଆଦିଲ୍ଲୀ,୨୯-୧୦: ଏୟାର ଇଣ୍ଡିଆର ଘରୋଇକରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିଲାଗି ବିଦେଶୀ ବିଡର ଆକୃଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ଶିଳ୍ପ ଓ ଆନ୍ତଃବାଣିଜ୍ୟ ପ୍ରୋତ୍ସାହନ ବିଭାଗ(ଡିପିଆଇଆଇଟି) ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ନେଇ ବିଭିନ୍ନ ପ୍ରସଙ୍ଗକୁ ବର୍ତ୍ତମାନ ବିଚାର କରୁଛି। ବିଦେଶୀ ପ୍ରତ୍ୟକ୍ଷ ନିବେଶ ଦିଗରେ ରହିଥିବା ବିଭିନ୍ନ ନିୟମକୁ ସରକାର ତର୍ଜମା କରୁଥିବା ଜଣାପଡିଛି। କ୍ଷତିରେ ଚାଲୁ୍‌ଥିବା ଏହି ବିମାନ କମ୍ପାନୀକୁ ଘରୋଇକରଣ କରିବା ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି। ହେଲେ ଏଥିଲାଗି ବିଡରଙ୍କୁ ଆକୃଷ୍ଟ କରିବା ନେଇ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ଷମ ହେଉ ନାହାନ୍ତି। ଆସନ୍ତା ମାସରେ ଏ ନେଇ ପୁଣି ଥରେ ବିଡ୍‌ ଡାକିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଗ୍ରାଉଣ୍ଡ ପରିଚାଳନା, ବିମାନ କ୍ରୟ, ଓଭରହଲ ରିପେୟାର ଏବଂ ମେଣ୍ଟେନାନ୍ସ ଭଳି ଭଳି ବର୍ଗରେ ପ୍ରତ୍ୟକ୍ଷ ଭାବେ ଉକ୍ତ କ୍ଷେତ୍ରରେ ୧୦୦% ଏଫ୍‌ଡିଆଇ ନିୟମ ରହିଛି। ମାତ୍ର ବିମାନ କମ୍ପାନୀ ପରିଚାଳନା ପାଇଁ ମାଲିକାନା ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଛି। ଏଭଳି ବିଭିନ୍ନ ସମସ୍ୟାକୁ ସମାଧାନ କରିବା ଦିଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କୁହାଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଏକ୍ଷେତ୍ରରେ ୧୦୦% ଏଫ୍‌ଡିଆଇ ନିୟମ ଲାଗୁ ହେଲେ ଏହା ବିମାନ କମ୍ପାନୀର ବିଡିଂ ଲାଗି ଉନ୍ନତ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଏନେଇ ମନ୍ତ୍ରଣାଳୟ ଅବଗତ ରହିଛି। ଏହା ଉପରେ ମନ୍ତ୍ରଣାଳୟ ସହ ଆଲୋଚନା ହୋଇଥିବା ଅଧିକାରୀ ଜଣକ କହିଛନ୍ତି। ବିମାନ କମ୍ପାନୀ ଉପରେ ବର୍ତ୍ତମାନ ୫୮,୦୦୦ କୋଟି ଟଙ୍କାର ଋଣ ରହିଛି। ଏହା ଲଗାତର ଭାବେ କ୍ଷତି ସହି ଚାଲିଛି। ମଙ୍ଗଳବାର ବସିବାକୁ ଥିବା ଆନ୍ତଃ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ବୈଠକରେ ବିମାନ କମ୍ପାନୀର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ବିଶେଷ କରି ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି। ଅଟୋମେଟିକ ରୁଟରେ ଯେଉଁ କ୍ଷେତ୍ରରେ ୧୦୦% ଏଫ୍‌ଡ଼ିଆଇ ନିୟମ ଲାଗୁ ହେଉ ନାହିଁ ସେ ଦିଗକୁ ମଧ୍ୟ ବିଚାର କରାଯିବ ବୋଲି ଅଧିକାରୀ କହିଛନ୍ତି। ଏଦିଗରେ ସମ୍ପୃକ୍ତ ବିଭାଗଗୁଡିକର ମତାମତ ଗ୍ରହଣ କରାଯାଉଛି। ସେହିଭଳି ଡିପିଆଇଆଇଟି କେତେକ ବାଣିଜ୍ୟ ଏବଂ ନିବେଶ ସଂସ୍ଥା ସହ ଆଲୋଚନା କରିବା ସହ ଏଦିଗରେ କେଉଁ ସବୁ ଆବଶ୍ୟକତା ହେଉଛି ତାର ତଖାରଖ କରିଛି। ଆନ୍ତଃମନ୍ତ୍ରୀ ଗୋଷ୍ଠୀର ପରାମର୍ଶ ପରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।

Share