Categories: ବାଣିଜ୍ୟ

ଏୟାର ଇଣ୍ଡିଆର ବିକ୍ରି ପ୍ରୟାସ: ପଦୋନ୍ନତି, ନୂଆ ନିଯୁକ୍ତି ବନ୍ଦ

ନୂଆଦିଲ୍ଲୀ,୨୨ା୭: ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ସରକାରଙ୍କ ପ୍ରୟାସ ଜୋର୍‌ଦାର ହୋଇଛି। ଏହି ରାଷ୍ଟ୍ରୀୟ ବିମାନ କମ୍ପାନୀରେ କର୍ମଚାରୀଙ୍କୁ ପଦନ୍ନୋତି ଓ ନୂଆ ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଅଧିକାରୀ ରବିବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏୟାର ଇଣ୍ଡିଆ ଦୈନିକ ପ୍ରାୟ ୧୫ କୋଟି ଟଙ୍କା ରାଜସ୍ବ ଆୟ କରୁଛି। ଏହା ଉପରେ ଏବେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଏହାକୁ ବିକ୍ରି କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରିଗୋଷ୍ଠୀ ଗଠନ କରାଯାଇଛି। ଏହାରି ନିର୍ଦ୍ଦେଶରେ ଚଳିତ ମାସ ୧୫ରୁ କମ୍ପାନୀର ଦୈନନ୍ଦିନ ପରିଚାଳନାକୁ ବନ୍ଦ କରିଦିଆଯାଇଛି। ବିଡ୍‌ ଆହ୍ବାନ ଲାଗି କମ୍ପାନୀର ଆକାଉଣ୍ଟସକୁ ଦର୍ଶାଇବା ଲାଗି ସ୍ଥିର ହୋଇଛି। କମ୍ପାନୀରେ ଏବେ ପ୍ରାୟ ୧୦ ହଜାର ନିୟମିତ କର୍ମଚାରୀ ରହିଛନ୍ତି। ତେବେ ଏ ସମ୍ପର୍କରେ ଏୟାର ଇଣ୍ଡିଆରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଆସନ୍ତା ୪-୫ ମାସ ଭିତରେ କମ୍ପାନୀକୁ ବିକ୍ରି କରିଦେବା ଲାଗି ସରକାର ବଦ୍ଧପରିକର ବୋଲି ଅର୍ଥ ମନ୍ତ୍ରଣାଳୟ ଅଧୀନ ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ସଚିବ ଅତନୁ ଚକ୍ରବର୍ତ୍ତୀ କହିଛନ୍ତି। ସୂଚନାଥାଉ କି, ୨୦୧୮ରେ କମ୍ପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରି ଲାଗି ସରକାରଙ୍କ ପ୍ରୟାସ ବିଫଳ ହୋଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏୟାର ଇଣ୍ଡିଆକୁ ଯଥାଶୀଘ୍ର ବିକ୍ରି କରିଦେବେ ବୋଲି କହିଥିଲେ।

Share