Categories: ଫୁରସତ

ଏହି ଜେଲ୍‌ରେ ନୂଆ କଏଦୀଙ୍କ ସହ ରହିବାକୁ ମନାକଲେ ପୁରୁଣା କଏଦୀ, ଜାଣନ୍ତୁ କାରଣ

କାନପୁର,୧୮ା୩: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଜେଲ୍‌ର ଚାରିକାନ୍ଥ ମଧ୍ୟରେ ରହୁଥିବା କଏଦୀମାନେ। ସେମାନେ ବି ଏହି ଭାଇରସ୍‌କୁ ନେଇ ବେଶ୍‌ ସଚେତନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ଜେଲ୍‌ରେ। ଏଠାରେ ଥିବା ପୁରୁଣା କଏଦୀମାନେ ନୂଆ କଏଦୀମାନଙ୍କ ସହ ରହିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। ପୁରୁଣା କଏଦୀମାନଙ୍କ ମତରେ ନୂଆ କଏଦୀମାନେ ସାଙ୍ଗରେ କରୋନା ଭାଇରସ୍‌ ଆଣିଥାଇପାରନ୍ତି। କିନ୍ତୁ କାନପୁର ଜେଲ୍‌ରେ ଏପର୍ଯ୍ୟନ୍ତ କୌଣସି କରୋନା ସନ୍ଦିଗ୍ଧ ନଜରକୁ ଆସିନାହାନ୍ତି।
ଜେଲ୍‌ର ଅଧୀକ୍ଷକ ଆଶିଷ ତିଓ୍ବାରୀ ଜେଲ୍‌ରେ ଥିବା ପୁରୁଣା କଏଦୀମାନଙ୍କୁ ବହୁତ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି। ଜେଲର ଅନ୍ତେବାସୀମାନେ ମଧ୍ୟ ଚାହାନ୍ତି କି ସେମାନଙ୍କର ହାଜର ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ହେଉ। କାରଣ ସେମାନେ କୋର୍ଟ ଯିବା ଦ୍ୱାରା କରୋନା ଭାଇରସ୍‌ ସଂକ୍ରମଣ କରିପାରେ। ଜଣେ ଜେଲ୍‌ ଅଧିକାରୀ କହିଛନ୍ତି, ଏହା ସମ୍ପର୍କରେ କିଛି ନିଷ୍ପତ୍ତି ନେଇହେବ ନାହିଁ। ଏନେଇ କୋର୍ଟଙ୍କୁ ଅନୁରୋଧ କରାଯିବ। ତା’ପରେ ଯାହା ନିଷ୍ପତ୍ତି ନିିଆଯିବ।
ଜେଲ୍‌ ଅଧୀକ୍ଷକ କହିଛନ୍ତି, କଏଦୀଙ୍କୁ ମାସ୍କ ଦିଆଯାଉଛି। ବିନା ମାସ୍କରେ କୌଣସି କଏଦୀଙ୍କୁ ବାହାରେ ବୁଲିବାକୁ ଅନୁମତି ଦିଆଯାଇନାହିଁ। କଏଦୀମାନେ କିପରି ସଫାସୁତରା ରହିବେ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସେମାନଙ୍କ ପାଇଁ ସାବୁନ ମଧ୍ୟ ଉପଲବ୍ଧ। କରୋନା ଭାଇରସ୍‌କୁ ନେଇ ଦିଆଯାଇଥିବା ପରାମର୍ଶ କାରାଗାର କାନ୍ଥରେ ମଧ୍ୟ ଲଗାଯାଇଛି।

Share