ଏସିଆ ବାହାରେ ପ୍ରଥମ କରୋନା ମୃତ୍ୟୁ

ପ୍ୟାରିସ୍‌,୧୬ା୨(ଏଏଫ୍‌ପି): ଏସିଆ ମହାଦେଶ ବାହାରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ଫ୍ରାନ୍ସରେ ଘଟିଛି। ଚାଇନାରୁ ଯାଇଥିବା ଜଣେ ୮୦ ବର୍ଷୀୟ ପର୍ଯ୍ୟଟକ ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଫ୍ରାନ୍ସ ସ୍ବାସ୍ଥ୍ୟମନ୍ତ୍ରୀ ଆଗ୍ନେସ୍‌ ବୁଜିନ୍‌ ସୂଚନା ଦେଇଛନ୍ତି। କରୋନା ସଂକ୍ରମିତ ଏହି ବ୍ୟକ୍ତିଙ୍କୁ ପ୍ୟାରିସ୍‌ର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଥିଲା ବୋଲି ବୁଜିନ୍‌ କହିଛନ୍ତି। ଚାଇନାରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୫୦୦ ଟପିଥିବାବେଳେ ୬୬,୦୦୦ରୁ ଊର୍ଦ୍ଧ୍ୱ ଏଥିରେ ଆକ୍ରନ୍ତ ଥିବା ଜଣାପଡିଛି। ଚାଇନା ବାହାରେ ଫିଲିପାଇନ୍ସ, ହଂକଂ ଏବଂ ଜାପାନରେ ଜଣେ ଲେଖାଏ ଏହି ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ହୁବେଇ ପ୍ରଦେଶ ଓ ଏହାର ରାଜଧାନୀ ଉହାନରେ ୫୬ ନିୟୁତ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ଚାଇନା ବାହାରେ ୬୦୦ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୟୁରୋପୀୟ ୟୁନିୟନରେ ୩୫ ଜଣ ରହିଛନ୍ତି। ଫ୍ରାନ୍ସରେ ଏବେ ୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Share