Categories: ଖେଳ

ଏସିଆନ ଜିମ୍ନାଷ୍ଟିକ୍ସରେ ପ୍ରଣତିଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୧।୬ (ପି.ଟି.)-ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ ଭଲ୍ଟ ଇଭେଣ୍ଟରେ ଶୁକ୍ରବାର ଭାରତୀୟ ମହିଳା ଜିମ୍ନାଷ୍ଟ ପ୍ରଣତି ନାୟକ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବେଙ୍ଗଲର ଏହି ୨୩ ବର୍ଷୀୟା ୬ଷ୍ଠ ସ୍ଥାନ ସହ ଭଲ୍ଟ ଫାଇନାଲରେ ପ୍ରବେଶ କରିଥିଲେ। ସେ ୧୩.୩୮୪ ସ୍କୋର କରିବା ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେ ପ୍ରଥମ ଓ ଦ୍ୱିତୀୟ ଭଲ୍ଟରେ ଯଥାକ୍ରମେ ୧୩.୪୦୦ ଏବଂ ୧୩.୩୬୭ ସ୍କୋର କରିଥିଲେ। ଇଭେଣ୍ଟରେ ଚାଇନାର ୟୁ ଲିନ୍‌ମିନ୍‌ (୧୪.୩୫୦) ଏବଂ ଜାପାନର ଆୟାକା ସାକାଗୁଛି (୧୩.୫୮୪) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଲାଭ କରିଥିଲେ। କୋଚ୍‌ ମିନାରା ବେଗମ କହିଛନ୍ତି, ପ୍ରଣତିଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା, ସେତେବେଳେ ମୁଁ ତାଙ୍କୁ ଟ୍ରେନିଂ ଦେଇ ଆସୁଛି। ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ରେ ଦେଶ ଓ ମୋ ପାଇଁ ଗର୍ବର ବିଷୟ। ଜିମ୍ନାଷ୍ଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଜିଏଫ୍‌ଆଇ) ଉପ-ସଭାପତି ରିୟାଜ ଭଟି ମଧ୍ୟ ପ୍ରଣତିଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଣତି ଏସିଆନ ଚାମ୍ପିୟନଶିପ୍‌ରେ ଏକ ପଦକ ଜିତିଥିବାରୁ ମୁଁ ବହୁତ ଖୁସି। ତାଙ୍କଠାରୁ ଏକ ଅନ୍ତଜର୍ର୍ାତୀୟ ପଦକ ବହୁ ଦିନ ହେଲା ଆଶା କରାଯାଉଥିଲା। ବର୍ତ୍ତମାନ ସେ ଭାରତରୁ ଅନ୍ତର୍ଜାତୀୟ ପଦକ ଜିତିଥିବା ଖେଳାଳି ତାଲିକାରେ ସାମିଲ ହୋଇ ପାରିଛନ୍ତି। ଭାରତୀୟ ଜିମ୍ନାଷ୍ଟିକ ପାଇଁ ଶୁକ୍ରବାର ଏକ ସ୍ମରଣୀୟ ଦିବସ।

Share