ଏମ୍‌କେସିଜିରେ ପୁଣି ୪ କରୋନା ସନ୍ଦିଗ୍ଧ: ଗୋଟିଏ ପରିବାରର ୩

ବ୍ରହ୍ମପୁର ଅଫିସ,୩୦।୩: ବିଶବ୍ୟାପୀ ଆତଙ୍କ ସୃଷ୍ଟି କରି ଚାଲିଥିବା କରୋନା ଭୂତାଣୁକୁ ନେଇ ଦକ୍ଷିଣ ଓଡ଼ିଶାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଏଠାକାର ଗୋଟିଏ ପରେ ଗୋଟିଏ ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି ହେବାରେ ଲାଗିଛନ୍ତି। ଏମ୍‌କେସିଜି ମେଡିକାଲରେ ଶନିବାର ୫ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ବେଳେ ରବିବାର ୨ ଜଣ ଓ ସୋମବାର ୪ ଜଣ ଭର୍ତ୍ତି ହୋଇଛନ୍ତି। ଏହି ୪ ଜଣଙ୍କ ମଧ୍ୟରେ କୋଦଳାର ଗୋଟିଏ ପରିବାରର ବାପା, ମା’ ଏବଂ ପୁଅ ରହିଛନ୍ତି। ସେମାନେ ଭୁବନେଶ୍ୱରସ୍ଥିତ ଏକ କ୍ଲିନିକ୍‌ରେ ପୂର୍ବରୁ ଚିକିତ୍ସିତ ହେଉଥିବା ବେଳେ ଗତ ୨୬ ତାରିଖରେ ଉକ୍ତ କ୍ଲିନିକରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ କରୋନା ପଜିଟିଭ୍‌ ବାହାରିଥିଲା। ପରେ କ୍ଲିନିକରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀମାନଙ୍କୁ ସେଠାରୁ ନିଜ ନିଜ ଘରକୁ ଚାଲିଯିବାକୁ କୁହାଯାଇଥିଲା। ଯାହାଫଳରେ କୋଦଳା ଅଞ୍ଚଳର ଏହି ୩ ଜଣ ମଧ୍ୟ ନିଜ ଘରକୁ ଫେରିଥିଲେ। ଗାଁରେ ୩ଦିନ ରହିବା ପରେ ଗ୍ରାମବାସୀ ଉକ୍ତ ପରିବାରକୁ ଏମ୍‌କେସିଜି ମେଡିକାଲକୁ ସୋମବାର ଆମ୍ବୁଲାନ୍ସ ଜରିଆରେ ପଠାଇ ଦେଇଥିଲେ। ସେହିପରି ହିଞ୍ଜିଳିର ଜଣେ ବ୍ୟକ୍ତି ମୁମ୍ବାଇରେ ରହୁଥିବା ବେଳେ ସେ ଗତ ୨୦ ତାରିଖରେ ଗାଁକୁ ଫେରିଥିଲେ। ତାଙ୍କର ଜ୍ୱର ଓ କାଶ ହେବାରୁ ତାଙ୍କୁ ସୋମବାର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ଏହି ୪ ଜଣ କରୋନା ସନ୍ଦିଗ୍ଧଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଭୁବନେଶ୍ୱର ପଠାଯିବ ବୋଲି ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡ. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି