Categories: ଗଞ୍ଜାମ

ଏମ୍‌କେସିଜିରେ ନାହାନ୍ତି ନ୍ୟୁରୋଲୋଜି ବିଶେଷଜ୍ଞ

ବ୍ରହ୍ମପୁର ଅଫିସ,୧୩ା୩-ଦକ୍ଷିଣ ଓଡ଼ିଶାର ବୃହତ୍ତମ ଚିକିତ୍ସାଳୟ ବ୍ରହ୍ମପୁରସ୍ଥ ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲ। ଏଠାରେ ଗୁରୁତ୍ୱପୂର୍ଣ୍ଣ ନ୍ୟୁରୋଲୋଜି ବିଭାଗରେ ଦୀର୍ଘଦିନରୁ ବିଶେଷଜ୍ଞ ନାହାନ୍ତି । ଅପରପକ୍ଷରେ ୫୮ ବର୍ଷର ଏହି ମେଡିକାଲରେ ବର୍ନିଂ ୱାର୍ଡ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ସମୟରେ ଘଟୁଥିବା ଜଳାପୋଡ଼ା ରୋଗୀଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଉଛି। ନ୍ୟୁରୋଲୋଜି ରୋଗୀଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ପଡ଼ୁଛି। ଏହି ଅଭିଯୋଗ ଅଲ ଇଣ୍ଡିଆ ଡେମୋକ୍ରାଟିକ୍‌ ୟୁଥ୍‌ ଅର୍ଗାନାଇଜେଶନ (ଏଆଇଡିୱାଇଓ) ବ୍ରହ୍ମପୁର ଆଞ୍ଚଳିକ କମିଟି ପକ୍ଷରୁ ହୋଇଛି। ସମସ୍ୟାର ସମାଧାନ ପାଇଁ ସରକାର ତ୍ୱରିତ ପଦକ୍ଷେପ ନେବାକୁ ଦାବି କରାଯାଇଛି।
ଏମ୍‌କେସିଜି ମେଡିକାଲରେ ବିଭିନ୍ନ ବିଭାଗର କ୍ୟାବିନ ଫି ୧୫୦ରୁ ଏବେ ୭୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାକୁ ମଧ୍ୟ ଏଆଇଡିୱାଇଓ ତୀବ୍ର ବିରୋଧ କରିଛି। ଏହା ରୋଗୀଙ୍କୁ ଶୋଷଣ ହୋଇଥିବାରୁ ବର୍ଦ୍ଧିତ ଫି ଅବିଳମ୍ବେ ବାତିଲ କରିବାକୁ ଦାବି ହୋଇଛି। ବଡ଼ ଡ଼ାକ୍ତରଖାନାରେ ଖାଲି ପଡ଼ିଥିବା ଡ଼ାକ୍ତର, ନର୍ସ, ଟେକ୍ନିସିଆନ ଓ ଅନ୍ୟ କର୍ମଚାରୀ ପଦବୀଗୁଡ଼ିକ ସ୍ଥାୟୀ ନିଯୁକ୍ତି ଭିତ୍ତିରେ ପୂରଣ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ଆଞ୍ଚଳିକ କମିଟି ସଭାପତି କାର୍ତ୍ତିକ ଚନ୍ଦ୍ର ମହାନ୍ତ ଗୁରୁବାର ବଡ଼ ଡ଼ାକ୍ତରଖାନା ଅଧୀକ୍ଷକଙ୍କୁ ଉପରୋକ୍ତ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ନକଲ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ତଥା ଏମ୍‌କେସିଜି ସ୍ବାସ୍ଥ୍ୟ ସମିତି ଅଧ୍ୟକ୍ଷଙ୍କୁ ପଠାଇଛନ୍ତି। ଅଲଟ୍ରା ସାଉଣ୍ଡ ସେବାକୁ ପିପିପି ମୋଡରେ କରାଯାଇଥିବାରୁ ଏହାକୁ ମଧ୍ୟ ବିରୋଧ କରାଯାଇଛି। ଏହି ବ୍ୟବସ୍ଥା ବନ୍ଦ ପାଇଁ ଦାବି ହୋଇଛି। ସ୍ବାସ୍ଥ୍ୟସେବା ଲୋକଙ୍କ ମୌଳିକ ଅଧିକାର ହୋଇଥିବାରୁ ଏହାକୁ ଘରୋଇ ତଥା ବ୍ୟବସାୟକରଣ ନ କରିବା ପାଇଁ ଏଆଇଡିୱାଇଓ ଦାବି କରିଛି।