Categories: ଜାତୀୟ

ଏମ୍ସରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, , ୧୮ା୮(ପି.ଟି.): ଶନିବାର ସନ୍ଧ୍ୟାରେ ଏମ୍ସର ଇମର୍ଜେନ୍ସି ଓ୍ବାର୍ଡ ନିକଟରେ ଅଗ୍ନିକାଣ୍ଡ ଘଟିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସଙ୍ଗେସଙ୍ଗେ ଚାରିଆଡ଼ ଧୂଆଁମୟ ହୋଇପଡ଼ିଥିଲା। ୩୪ଟି ଦମକଳ ଗାଡ଼ିରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଦୀର୍ଘ ୫ ଘଣ୍ଟା ପରେ ନିଆଁକୁ ଆୟତ କରାଯାଇଥିଲା। ପ୍ରଥମ ଚାରି ମହଲା ଅଗ୍ନିକାଣ୍ଡ ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଅନେକ କାଗତପତ୍ର ଓ ଯନ୍ତ୍ରପାତି ପୋଡ଼ି ଯାଇଥିବା ଖବର ମିଳିଛି। ପଞ୍ଚମ ମହଲା ସାମାନ୍ୟ ପ୍ରଭାବିତ ହୋଇଥିବା ପ୍ରକାଶ। କେତେକ ରୋଗୀଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। କୌଣସି ବ୍ୟକ୍ତି ମୃତାହତ ହୋଇ ନ ଥିବାବେଳେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ପ୍ରକାଶଥାଉ କି, ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏଠାରେ ଚିକିତ୍ସିତ ହେଉଛନ୍ତି।

Share