Posted inଫୁରସତ

ଏମାନେ ବି କରୋନା ଯୋଦ୍ଧା

କରୋନା ଲଢେଇରେ କେବଳ ପ୍ରଶାସନ ନୁହେଁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅଧିକାଂଶ ନିଜର ସାଧ୍ୟମତେ କାମ କରିଚାଲିଛନ୍ତି। ତେବେ ଏହି ମୁକାବିଲା ପାଇଁ ଆଗେଇ ଆସିଥିବା କିଛି ଯୁବପିଢିଙ୍କ ସମ୍ପର୍କରେ…

ସାରା ବିଶ୍ୱ ପାଇଁ ଏବେ ବଡ଼ ବିପତ୍ତି ହୋଇଛି କରୋନା। ଏହାର ମୁକାବିଲା ନିମନ୍ତେ ପ୍ରଶାସନ ତା’ର ପ୍ରୟାସ ଜାରି ରଖିଛି। କିନ୍ତୁ ଲୋକଙ୍କୁ ସାହାଯ୍ୟ ପାଇଁ ଏ ସମୟରେ ଆଗେଇ ଆସିଛନ୍ତି ଆମ ଯୁବପିଢି। ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଏମାନେ କାମ କରି ସ୍ବତନ୍ତ୍ରତା ପ୍ରତିପାଦନ କରୁଛନ୍ତି। କରୋନା ମୁକାବିଲାରେ ଆମ ରାଜ୍ୟର ବିଭିନ୍ନ କ୍ଲବଗୁଡ଼ିକ ବି ବିଭିନ୍ନ ପ୍ରକାରର ସେବା କାମ ଜାରି ରଖିଛନ୍ତି। ସେ ସମ୍ପର୍କରେ ଉପସ୍ଥାପନା…

ବାପୁଜୀ ଯୁବ ପରିଷଦ, ସିମୁଳିଆ, ବାଲେଶ୍ୱର : କରୋନାର ବ୍ୟାପକ ଭୟାବହତାର ମୁକାବିଲା କରିବା ପାଇଁ ବିଭିନ୍ନ ଯୁବଗୋଷ୍ଠୀ ଆଗକୁ ଆସିଛନ୍ତି। ବାଲେଶ୍ୱରର ସିମୁଳିଆ ବ୍ଲକ ଚାଲୁଣି ଗାଁ ପଞ୍ଚାୟତରେ ୧୯୯୬ ମସିହାରୁ ସ୍ଥାନୀୟ ଅଞ୍ଚଳର ୭୦ଜଣ ଯୁବକଙ୍କୁ ନେଇ ଗଢା ହୋଇଛି ବାପୁଜୀ ଯୁବ ପରିଷଦ। କରୋନା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା ପରେ ସାଧାରଣ ଦିନମଜୁରିଆ, ଗରିବ, ଅସହାୟ, ଭିକାରି ଓ ରାସ୍ତାରେ ବୁଲୁଥିବା ମାନସିକ ବିକୃତମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ଅସହାୟ ଜନସାଧାରଣଙ୍କ ପାଇଁ ବାପୁଜୀ ଯୁବ ପରିଷଦର ଯୁବକମାନେ ଦେବଦୂତ ସାଜିଛନ୍ତି।
ସରକାରଙ୍କ ବିନା ସହାୟତାରେ ଯୁବକମାନେ ବ୍ୟକ୍ତିଗତ ରୂପେ ପ୍ରତିଦିନ ପ୍ରତ୍ୟେକ ଦିନ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଓ ସାରେ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି। ଏହା ବ୍ୟତୀତ କରୋନା ସଚେତନତା ପାଇଁ ମାସ୍କ ବଣ୍ଟନ କରିଛନ୍ତି। ଏ ସମ୍ପର୍କରେ ଏହି ଅନୁଷ୍ଠାନର ସଭାପତି ଅଜୟ କୁମାର ଦାସ କହନ୍ତି, ଭଦ୍ରକ ଜିଲାର ବୋତଡ଼ା, ଚାଲୁଣି ଗାଁ ସମେତ ସୋର ବ୍ଲକର କିଛି ଅଞ୍ଚଳକୁ ଯାଇ ଖାଦ୍ୟ ବଣ୍ଟନ କରୁଛନ୍ତି।

ଶ୍ରୀଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ- କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର ନିକଟରେ ଆଖପାଖ ଗାଁର ପ୍ରାୟ ୨୫ଜଣ ଯୁବକଙ୍କୁ ନେଇ ୨୦୧୮ ମସିହାରେ ଗଢା ଯାଇଥିଲା ଶ୍ରୀଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ। କ୍ଲବର ପିଲାମାନେ କରୋନା ମୁକାବିଲା ପାଇଁ ନିଜସ୍ବ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ମାସ୍କ ବାଣ୍ଟୁଛନ୍ତି। ଏହି କ୍ଲବର ସଭାପତି ଦମନ କୁମାର ମହାନ୍ତିଙ୍କ ମିଳିତ ନିଷ୍ପତ୍ତି ଅନୁସାରେ ଲୋକଙ୍କ ସହିତ ପୋଲିସମାନଙ୍କୁ ବି ମାସ୍କ ବଣ୍ଟା ହେଉଛି। କ୍ଲବ ତରଫରୁ ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ଖାଇବାକୁ ଦିଆଯାଉଛି । ଲକ୍‌ଡାଉନ୍‌ ସମୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇପାରୁ ନ ଥିବାରୁ କ୍ଲବ ପିଲାମାନେ ଡାକ୍ତରଖାନାକୁ ଯାଇ ସ୍ବେଚ୍ଛାକୃତଭାବେ ରକ୍ତଦାନ ବି କରୁଛନ୍ତି।

ନିଶାମୁକ୍ତ ଯୁବ ସଙ୍କଳ୍ପ ମିଶନ, ଅରିଲୋ : ଯୁବପିଢିଙ୍କ ଚରିତ୍ର ଗଠନ କରି ସେମାନଙ୍କୁ ଉତ୍ତମ ନାଗରିକଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଜଗତ୍‌ସିଂହପୁର ତିର୍ତ୍ତୋଲ ଅନ୍ତର୍ଗତ ଅରିଲୋ ଗାଁରେ ପ୍ରଥମେ ଗଢା ହୋଇଥିଲା ନିଶାମୁକ୍ତ ଯୁବ ସଙ୍କଳ୍ପ ମିଶନ ନାମକ କ୍ଲବ। ଏବେ କରୋନା ମହାବିପତ୍ତି ସମୟରେ କ୍ଲବର ପ୍ରାୟ ୨୦ ଜଣ ସଦସ୍ୟ ଅସହାୟ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। କରୋନା ସମୟରେ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରି ଏହି ପିଲାମାନେ ଆଖପାଖ ଗାଁରେ ଲୋକଙ୍କୁ ଆବଶ୍ୟକ ଅନୁସାରେ ମାସ୍କ ବାଣ୍ଟିବା ସହ ବିଭିନ୍ନ ସ୍ଥାନରେ ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀର ପୁଡିଆ ବି ଦେଉଛନ୍ତି। କରୋନା ପାଇଁ କ୍ଲବ ପିଲାମାନେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ମାସ୍କ ପିନ୍ଧିବା, ତଥା ସାମାଜିକ ଦୂରତ୍ୱ ରକ୍ଷା କରିବା ଆଦି ସଚେତନତ ବାର୍ତ୍ତା ପ୍ରଚାର କରୁଛନ୍ତି। ତେବେ କ୍ଲବର ସଭାପତି ଗୋପାଳ ଦାସଙ୍କ କହିବା ଅନୁସାରେ ସେମାନେ ସରକାରଙ୍କ ବିନା ସାହାଯ୍ୟରେ ଲୋକଙ୍କ ସେବା କରୁଛନ୍ତି ତେଣୁ ବ୍ୟକ୍ତିଗତ ସ୍ତରରେ ଯଥେଷ୍ଟ ପାଣ୍ଠି ନ ଥିବାରୁ ଇଚ୍ଛା ଥିଲେ ବି ଆହୁରି ଅନେକ କାମ କରିହେଉନି।

ଅନନ୍ତ ବଳିଆ ସେବା ସଂଘ, ତାଳଚେର : କରୋନା ପାଇଁ ସବୁଆଡେ ଲକ୍‌ଡାଉନ୍‌ ହୋଇଥିବାରୁ ଅଧିକାଂଶ ଲୋକେ ଜୀବିକା ଉପାର୍ଜନର ମାଧ୍ୟମ ହରାଇଛନ୍ତି। ସେଥିପାଇଁ ସେମାନଙ୍କ ପାଖରେ ଦି’ଓଳି ଦି’ମୁଠା ପେଟପୂରା ଖାଇବାକୁ ବି ମିଳୁନି। ତେବେ ଏ ସମୟରେ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଆଗେଇ ଆସିଛି ତାଳଚେର ଷ୍ଟେସନ ପାଖରେ ଥିବା ‘ଅନନ୍ତ ବଳିଆ ସେବା ସଂଘ’। ଏହି କ୍ଲବର ଯୁବକମାନେ ଷ୍ଟେସନ ନିକଟରେ ଥିବା ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି। କିଛି ଅଞ୍ଚଳରେ ଲୋକଙ୍କୁ ସେମାନେ ଖାଦ୍ୟ ସାମଗ୍ରୀ ସହ ସାଧାରଣ ଥଣ୍ଡା ଓ ଅନ୍ୟ କେତେକ ରୋଗ ପାଇଁ ଔଷଧ ମଧ୍ୟ ବାଣ୍ଟୁଛନ୍ତି। ଏହା ବ୍ୟତୀତ କେତେକ ସ୍ଥାନରେ ଏହି କ୍ଲବର ସଦସ୍ୟମାନେ ଗୋରୁଙ୍କୁ ବି ଖାଦ୍ୟ ବାଣ୍ଟୁଛନ୍ତି।

ଭଦ୍ରକ ସୋସିଆଲ ସର୍ଭିସ : ଭଦ୍ରକ ସହରରେ ଏକ ପରିଚିତ ନାମ ‘ମିଶନ ସଣ୍ଡେ’। ପ୍ରତି ରବିବାରକୁ ଅନେକ ଛୁଟିଦିନ ଭାବେ କଟାଇଥାନ୍ତି କିନ୍ତୁ ଏହି ମିଶନ ସଣ୍ଡେ ଏକ ବ୍ୟତିକ୍ରମ। ସେମାନେ ଆସି ପ୍ରତି ରବିବାରରେ ଏକ ଭିନ୍ନ ଲକ୍ଷ୍ୟରେ ଗୋଟିଏ ଜାଗାରେ ଏକାଠି ହୁଅନ୍ତି। ଅସହାୟ ଶିଶୁ, ମହିଳା, ବେସାହାରାଙ୍କୁ ଭେଟି ଖାଦ୍ୟ,ବସ୍ତ୍ର ବାଣ୍ଟିବା ସାଙ୍ଗକୁ ଶିକ୍ଷାନୁଷ୍ଠାନର ଗରିବ ପିଲାଙ୍କୁ ପାଠ୍ୟ ଉପକରଣ ଯୋଗାଇଥାନ୍ତି। ଏବେ ମହାମାରୀ କରୋନା କଟକଣା ଥାଇ ମଧ୍ୟ ପାଶ୍‌ ଆଣି ଏହି ସେବାରେ ଲାଗିଛନ୍ତି ଯୁବଗୋଷ୍ଠୀମାନେ। ହାତଗଣତି ୫ରୁ ୭ ଜଣ ଯୁବକ ନିରାଶ୍ରୟ, ଖଟିଖିଆ, ଦିନ ମଜୁରିଆଙ୍କ ନିକଟରେ ଦୈନିକ ପହଞ୍ଚତ୍ ମଧ୍ୟାହ୍ନଭୋଜନ ସାଙ୍ଗକୁ ରାତ୍ରିଭୋଜନ ବାଣ୍ଟୁଛନ୍ତି । ୨୦୧୭ ସେପ୍ଟେମ୍ବର ୩ ତାରିଖରେ ମାତ୍ର ୭ ଜଣ ସଦସ୍ୟ ସହରରେ ସେବା କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖି ଭଦ୍ରକ ସୋସିଆଲ ସର୍ଭିସ୍‌ ସଙ୍ଗଠନ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହାର ସଦସ୍ୟ ସଂଖ୍ୟା ଶତାଧିକ ଛୁଇଁଲାଣି। ସେମାନଙ୍କ ମଧ୍ୟରେ ପ୍ରାୟ ୩୦ ସକ୍ରିୟ ସଦସ୍ୟ ରହିଛନ୍ତି। ସଞ୍ଜିତ୍‌ କୁମାର ନାୟକ, ଟୁକୁନା ସ୍ବାଇଁ ମୁଖ୍ୟ ପୁରୋଧା ଭାବେ କାର୍ଯ୍ୟ କରୁଥିବା ବେଳେ ମନୋଜ କୁମାର କର, ଅଭିଷେକ ପୁହାଣ, ସନ୍ତୋଷ ବେହେରା, ପ୍ରଶାନ୍ତ ସିଂ ପ୍ରମୁଖ ଏଥିରେ ସହାୟତା କରୁଛନ୍ତି । ସହରରେ ରେଳଷ୍ଟେଶନ ଓ ବନ୍ତ ଛକ ପାଲ ତଳେ ଘୂରି ବୁଲୁଥିବା ଅସହାୟ ଶିଶୁ, ମହିଳା, ରୋଗୀ ସେମାନଙ୍କ ନଜରରୁ ବାଦ୍‌ ପଡ଼ନ୍ତି ନାହିଁ। ସେମାନଙ୍କୁ ସହାୟତା ସହ ମେଡିକାଲ ପଠାଇବା, ରକ୍ତଦାନ କରିବା ଆଦି ସଙ୍ଗଠନର ମୂଳଲକ୍ଷ୍ୟ ବୋଲି କୁହନ୍ତି ଟୁକୁନା ସ୍ବାଇଁ।

ସଂକଳ୍ପ ପରିବାର, ବରଗଡ : ବରଗଡ଼ ଜିଲା ସଦର ବ୍ଲକ ଅନ୍ତର୍ଗତ ବରଡ଼ୋଲ ଗ୍ରାମର ଏକ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର (ସଭାପତି- ରୋହିତ ଜୟସ୍ବାଲ, ସମ୍ପାଦକ- ଟିକେଲାଲ ପ୍ରଧାନ, କୋଷାଧ୍ୟକ୍ଷ- ଲିଙ୍ଗରାଜ ସାହୁ, ସଂଯୋଜକ- ବିକାଶ ଅଗ୍ରୱାଲ) । ଅସହାୟଙ୍କୁ ସେବା ହିଁ ଏହି ଅନୁଷ୍ଠାନର ଲକ୍ଷ୍ୟ । ଦୁଇବର୍ଷ ପୂର୍ବେ ଗଢ଼ି ଉଠିଥିବା ଏହି ସଂକଳ୍ପ ପରିବାରର ସଦସ୍ୟ ସଂଖ୍ୟା ହେଉଛି ୩୦ । ରକ୍ତଦାନ, ରାସ୍ତାଘାଟରେ ବୁଲାବୁଲି କରୁଥିବା ତଥା ଦୁର୍ଘଟଣାଗ୍ରସ୍ତ ଅସହାୟଙ୍କୁ ଉଦ୍ଧାର ସହିତ ଡାକ୍ତରଖାନା ପହଞ୍ଚାଇବା, ଶବ ସଂସ୍କାର ଭଳି ସାମାଜିକ କାର୍ଯ୍ୟ କରି ଆସୁଥିବା ସମ୍ପର୍କ ପରିବାର ଏବେ କରୋନା ପ୍ରତିହତ ପାଇଁ ସଚେତନତା ସୃଷ୍ଟି ସହିତ ଅସହାୟକୁ ସହାୟତାର ହାତ ବଢ଼ାଇଛି । ଲକ୍‌ ଡାଉନ୍‌ କଟକଣା ପରେ ସଂକଳ୍ପ ପରିବାର ପକ୍ଷରୁ ଆରମ୍ଭ ହୋଇଛି ‘ଅମୃତ ଆହାର-ଭୋକିଲା ପେଟକୁ ମୁଠାଏ ଅନ୍ନ’ ଅଭିଯାନ । ଏହି ଅଭିଯାନରେ ଉକ୍ତ ଅନୁଷ୍ଠାନ ପକ୍ଷରୁ ବରଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ରହିଥିବା ଅସହାୟ ପରିବାରର ୨୫୦ରୁ ୩୦୦ ଜଣଙ୍କୁ ସାମାଜିକ ଦୂରତ୍ୱ ଅବଳମ୍ବନ କରି ଦି ଓଳି ରନ୍ଧାଖାଦ୍ୟ ଦିଆଯାଉଛି । ଅନୁଷ୍ଠାନର ପ୍ରତ୍ୟେକ ସଭ୍ୟ ନିଜ ମଧ୍ୟରେ ପାଣ୍ଠି ସଂଗ୍ରହ କରି ସେଥିରୁ ରାଶନ ସାମଗ୍ରୀ, ପରିବା ଆଦି କିଣି ତାହା ନିଜେ ପ୍ରସ୍ତୁତ କରି ବିତରଣ କରୁଛନ୍ତି । ସେହିପରି ଲକ୍‌ ଡାଉନ୍‌ ପୂର୍ବରୁ ଉକ୍ତ ଅନୁଷ୍ଠାନର ସଭ୍ୟମାନେ ଏଠାକାର ବିଭିନ୍ନ ଅଞ୍ଚଳ ବୁଲି କରୋନା ଉପରେ ସଚେତନତା ସୃଷ୍ଟି କରୁଛନ୍ତି। ତା’ ସହ ଏମାନଙ୍କର ସଦସ୍ୟମାନେ ମଧ୍ୟ ମାସ୍କ ତିଆରିରେ ନିଜକୁ ନିୟୋଜିତ ରଖୁଛନ୍ତି। ଏହା ସହିତ ଇତିମଧ୍ୟରେ ଲକ୍‌ ଡାଉନ୍‌ ଯୋଗୁ ଶବ ଘରକୁ ପହଞ୍ଚି ନ ପାରିବାରୁ ଏଠାରେ ମୃତ୍ୟୁବରଣ କରିଥିବା ଜଣେ ଛତିଶଗଡ଼ ବାସିନ୍ଦାଙ୍କ ମୃତଦେହକୁ ଅନୁଷ୍ଠାନର ସଭ୍ୟମାନେ ଚାରିକାନ୍ଧ ଦେଇ ଶବ ସଂସ୍କାର କରିଥିଲେ । ସେହିପରି ଛତିଶଗଡ଼ରୁ ଦାଦନ ଖଟିବା ପାଇଁ ଏଠାକୁ ଆସିଥିବା ଜଣେ ଶ୍ରମିକଙ୍କ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିବା ପରେ ତାକୁ ଡାକ୍ତରଖାନା ପହଞ୍ଚାଇ ସଂକଳ୍ପ ପରିବାରର ସଭ୍ୟମାନେ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିଲେ । ସଂକଳ୍ପ ପରିବାରର ଏଭଳି ସାମାଜିକ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛି ।
-ସସ୍ମିତା ନାୟକ
ତଥ୍ୟ ସହୟତା : ପ୍ରେମାନନ୍ଦ ଖମାରୀ, ବିଭୁ ପ୍ରସାଦ ବେହେରା, ସନ୍ତୋଷ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri