Categories: ଖେଳ

ଏବେ ସନ୍ନ୍ୟାସ ନେଉ ନାହିଁ: ଗେଲ୍‌

ନୂଆଦିଲ୍ଲୀ,୧୫।୮: ଓ୍ବେଷ୍ଟଇଣ୍ଡିଜ ଦଳର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଭାରତ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ୩୦୧ ନଂ ଥିବ ସ୍ବତନ୍ତ୍ର ଜର୍ସି ପରିଧାନ କରିଥିଲେ। ଏହି ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିବେ ବୋଲି ଆଶା କରାଯାଉଥିଲା। ୭୨ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଆଉଟ୍‌ ହେବା ପରେ ଭାରତୀୟ ଦଳ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଥିଲା। ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକ ଛିଡ଼ା ହୋଇ କରତାଳି ଦେଇ କିମ୍ବଦନ୍ତୀଙ୍କୁ ବିଦାୟ ଜଣାଇଥିଲେ। ଏହି ଦୃଶ୍ୟ ପରେ ଗେଲଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଅନ୍ତ ବୋଲି ପ୍ରଶଂସକ ଚିନ୍ତା କରୁଥିଲେ। ହେଲେ ସେ ଏବେ ସନ୍ନ୍ୟାସ ନେଉ ନ ଥିବା ୧୦ ସେକେଣ୍ଡ ବିଶିଷ୍ଟ ଭିଡିଓରେ କହିଛନ୍ତି। ମୁଁ ଅବସର ଘୋଷଣା କରି ନ ଥିଲି। ମୁଁ ଓ୍ବେଷ୍ଟଇଣ୍ଡିଜ ଦଳ ପାଇଁ ଉପଲବ୍ଧ ରହିବି ବୋଲି କହି ସଭିଙ୍କୁ ଚକିତ କରି ଦେଇଛନ୍ତି। ମ୍ୟାଚ୍‌ ଶେଷ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଖବରଦାତା ସମ୍ମିଳନୀରେ ଗେଲଙ୍କୁ ତାଙ୍କ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇଥିଲେ। ଉଲ୍ଲେଖଥାଉ କି, ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ଦଳର ଅଭିଯାନ ଶେଷ ହେବା ପରେ ଗେଲ୍‌ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ନେବେ ବୋଲି ଘୋଷଣା କରିଥିଲେ।

Share