ଏବେଠାରୁ ସାବଧାନ ନ ହେଲେ ଭାରତକୁ ମାଡି ଆସିବ କ୍ୟାନସର ସୁନାମି!

ଓ୍ବାଶିଂଟନ,୭।୩: ଅଗାମୀ ଦିନରେ ଭାରତରେ କ୍ୟାନସରର ଭୟାବହତାକୁ ଲକ୍ଷ୍ୟ କରି ୨ ଭାରତୀୟ ମୂଳ ବାସିନ୍ଦା ଡାକ୍ତର କହିଛନ୍ତି ଏବେଠାରୁ ସାବଧାନ ନ ହେଲେ ଭାରତକୁ କ୍ୟାନସର ସୁନାମୀ ମାଡିଆସିପାରେ। ଭାରତର ବଡ ବଡ ରାଜନେତାଙ୍କ ଚିକିତ୍ସା କରିଥିବା ଏହି ଡାକ୍ତର କହିଛନ୍ତି ପ୍ରଥମ ଅବସ୍ଥାରେ ଥିବା କ୍ୟାନସରର ଚିହ୍ନଟ ଓ ଏହା ଉପରେ ସ୍ବାସ୍ଥ୍ୟ ଶିକ୍ଷା ସଚେତନତା ଜରୁରୀ ହୋଇପଡିଛି। ଡାକ୍ତର ଦତ୍ତାତ୍ରେୟିଦୁ ନୋରି ଓ ଡାକ୍ତର ରେଖା ଭଣ୍ଡାରୀ ଏମିତି ସୂଚନା ଦେଇଛନ୍ତି। ସେମାନଙ୍କ ମତରେ କ୍ୟାନସରକୁ ଯଦି ପ୍ରଥମ ଅବସ୍ଥାରୁ ଚିହ୍ନଟ କରାଯାଏ ତେବେ ଏହା ଠିକ୍‌ ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ଡାକ୍ତର ନୋରି କହିଛନ୍ତି ଏବେ ଭାରତରେ ପ୍ରତିଦିନ କ୍ୟାନସରରେ ପାଖାପାଖି ୧୩ଶହ ଲୋକଙ୍କ ମୃତ୍ୟୁ ହେଉଛି। ସେହିପରି ପ୍ରତିବର୍ଷ ପାଖାପାଖି ୧୨ଲକ୍ଷ ନୂଆ କ୍ୟାନସର ରୋଗୀଙ୍କୁ ଭାରତରେ ଚିହ୍ନଟ କରାଯାଉଛି। ତେବେ ଏହାର ସଠିକ ଚିକିତ୍ସା ଉବଲବ୍ଧ ନ ହେଉଥିବାରୁ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ମଧ୍ୟ ସେ କହିଛନ୍ତି। ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍‌ କ୍ୟାନସରର ରିପୋର୍ଟ କହୁଛି ୨୦୩୦ ବେଳକୁ ୧୭ ଲକ୍ଷ ନୂଆ କ୍ୟାନସର ରୋଗୀଙ୍କୁ ଚିହ୍ନଟ କରାଯାଇଥିବ। ତେଣୁ ଏହା ଉପରେ ଏବେଠାରୁ ସଚେତନାର ଆବଶ୍ୟକତା ରହିଛି ବୋଲି ନୋରି ମତ ପ୍ରକାଶ କରିଛନ୍ତି।

Share