Categories: ବାଣିଜ୍ୟ

ଏଫ୍‌ଡିଆଇ ଲାଗି ଉତ୍କୃଷ୍ଟ ସମୟ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଲାଗି ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି ହୋଇଛି। ଭାରତ ସମେତ ସାରା ବିଶ୍ୱ ଏବେ ଲକ୍‌ଡାଉନ ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଛି। ଗ୍ରାମାଞ୍ଚଳରେ କିଛି କ୍ଷେତ୍ରକୁ ଏବେ ଏବେ ସରକାର କାର୍ଯ୍ୟ ପରିଚାଳନା ନେଇ ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସମୟରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଆକୃଷ୍ଟ କରିବାକୁ ଭାରତ ଲାଗି ଏକ ଉତ୍କୃଷ୍ଟ ସମୟ ବୋଲି ଆମେରିକାରେ ଅବସ୍ଥିତ ଭାରତ କୈନ୍ଦ୍ରିକ ବିଜ୍‌ନେସ ଆଡଭୋକେସି ଗ୍ରୁପ୍‌ ପକ୍ଷରୁ ଏକ ଅଧ୍ୟୟନରେ କୁହାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, କରୋନା ମହାମାରୀ ସଙ୍କଟ ସ୍ଥିତି ଦେଇ ଭାରତ ଗତି କରୁଥିଲେ ମଧ୍ୟ ଫେସ୍‌ବୁକ୍‌ ଭାରତରେ ୫.୭ ବିଲିୟନ ଡଲାର ମୁକେଶ ଅମ୍ବାନୀଙ୍କ ଜିଓରେ ନିବେଶ କରିଛି। ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ବିଦେଶୀ ନିବେଶକଙ୍କ ଏହା ଦୃଢ଼ବିଶ୍ୱାସର ପ୍ରତିଫଳନ। ଏଭଳି କାର୍ଯ୍ୟ ଦେଶର ଆର୍ଥତ୍କ ବିକାଶଧାରା ଲାଗି ଏକ ଭଲ ସଙ୍କେତ ବୋଲି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଏହି ପରିପ୍ରେକ୍ଷୀରେ ୟୁଏସ୍‌ ଇଣ୍ଡିଆ ଷ୍ଟ୍ରାଟେଜିକ ଆଣ୍ଡ ପାର୍ଟନରଶିପ ଫୋରମ(ୟୁଏସ୍‌ଆଇଏସ୍‌ପି) ସଭାପତି ମୁକେଶ ଆଝି କହିଛନ୍ତି ଯେ, ଭାରତକୁ ଏଫ୍‌ଡିଆଇ ଆକୃଷ୍ଟ କରିବା ଲାଗି କୋଭିଡ୍‌-୧୯ ସୁଯୋଗ ପ୍ରଦାନ କରିଛି। ନିବେଶ ଧାରା ଲାଗି ରହିଲେ ଭାରତ ଚାଇନାକୁ ପଛରେ ପକାଇ ବିଶ୍ୱର ୧ ନମ୍ବର ମାନୁଫାକଚରିଂ ହବ୍‌ ହେବାକୁ ସକ୍ଷମ ହେବ। ନୂଆ ନିବେଶ ଆସିଲେ ଏହା ନିଯୁକ୍ତି ସୃଷ୍ଟି ଏବଂ ବିକାଶଧାରାରେ ଯୋଗଦାନକୁ ବଢ଼ାଇବ। ଶ୍ରମ ଆଇନରେ ସଂଶୋଧନ, ସଂସ୍କାର ଧାରାରେ ଉନ୍ନତ ମାନୁଫାକଚରିଂକୁ ପ୍ରୋତ୍ସାହିତ କରିବା ଲାଗି ଜାପାନ ଭଳି ପ୍ୟାକେଜ ବ୍ୟବସ୍ଥା ଭଳି ଅନ୍ୟ ଦିଗରେ ସରକାର ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

Share