ଏନ୍‌ଟିପିସିରେ ହ୍ରାସ ହେବନି ବିଦ୍ୟୁତ୍‌ ଉତ୍ପାଦନ

ତାଳଚେର,୧୯ା୪(ନି.ପ୍ର.) – ଅନୁଗୋଳ ଜିଲା କଣିହାଁସ୍ଥିତ ଏନ୍‌ଟିପିସି ଉଦ୍ୟୋଗର ବିଦ୍ୟୁତ୍‌ ଉତ୍ପାଦନ ନେଇ ସିଏମ୍‌ଡି ଗୁରୁଦୀପ ସିଂ ଏବଂ ଆଞ୍ଚଳିକ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଛି। କୌଣସି ସ୍ଥିତିରେ ପ୍ଲାଣ୍ଟର ଶକ୍ତି ଉତ୍ପାଦନ ରେ ହ୍ରାସ ଘଟିବାକୁ ଦିଆଯିବ ନାହିଁ ବୋଲି ଅଧିକାରୀମାନେ ନିଷ୍ପତ୍ତି କରିଛନ୍ତି।
ସୂଚନା ଅନୁଯାୟୀ, ସର୍ବନିମ୍ନ ମାନବ ସମ୍ବଳରେ କାର୍ଯ୍ୟ କରାଯାଉଥିଲେ ମଧ୍ୟ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍‌ ଉତ୍ପାଦନ ଓ ଯୋଗାଣ ଜାରି ରହିଛି। ପ୍ରକଳ୍ପର କର୍ମଚାରୀମାନେ ଆଖପାଖ ଗ୍ରାମ, ଶ୍ରମିକ ବସ୍ତିରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି। କମ୍ପାନୀ ସିଏସ୍‌ଆର୍‌ ଯୋଜନାରେ ସାବୁନ ସହ ଅଦ୍ୟାବଧି ୧୨ ହଜାର ମାସ୍କ ବଣ୍ଟନ କରିଛି। ଏନ୍‌ଟିପିସି ପକ୍ଷରୁ ୪୫ଟି ହସ୍‌ପିଟାଲରେ ଏକାନ୍ତ କକ୍ଷର ବନ୍ଦୋବସ୍ତ କରାଯାଇଛି। ଦିଲ୍ଲୀର ବଦରପୁର ହସ୍ପିଟାଲ ଏବଂ ଓଡ଼ିଶାର ସୁନ୍ଦରଗଡ଼ସ୍ଥିତ ମେଡିକାଲ କଲେଜ ହସ୍ପିଟାଲକୁ କୋଭିଡ୍‌ ଆକ୍ରାନ୍ତଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଛି। ଏନ୍‌ଟିପିସି ମ୍ୟାନେଜମେଣ୍ଟ ପକ୍ଷରୁ ୩କୋଟି ଟଙ୍କାର ସ୍ବାସ୍ଥ୍ୟ ଉପକରଣ ଆବଣ୍ଟନ କରାଯାଉଛି। ମେଡିକାଲ କର୍ମଚାରୀମାନେ ଭିଡିଓ କଲ୍‌ ମାଧ୍ୟମରେ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ (ପିପିଇ)ର ବ୍ୟବହାର ନେଇ ପ୍ରଶିକ୍ଷଣ ନେଉଛନ୍ତି। ୧୨ଶହ ପିପିଇ କିଟ୍‌, ୧ ଲକ୍ଷ ୨୦ହଜାର ସର୍ଜିକାଲ କିଟ୍‌, ୩୩ ହଜାରରୁ ଊର୍ଦ୍ଧ୍ୱ ଗ୍ଲୋଭସ, ୫ ହଜାର ଆପ୍ରୋନ, ୮ ହଜାର ସୁକଭର, ୫୩୫ ଲିଟର ସାନିଟାଇଜର ଏନ୍‌ଟିପିସିର ସମସ୍ତ ପ୍ରୋଜେକ୍ଟ ଏବଂ କେନ୍ଦ୍ରକୁ ପଠାଯାଇଛି ବୋଲି ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।