Categories: ଫୁରସତ

ଏହି ଗାଁର ମହିଳା ସବୁବେଳେ ରୁହନ୍ତି ସଧବା

ମଧ୍ୟ ପ୍ରଦେଶ ମଣ୍ଡଲା ଜିଲାରେ ଥିବା ଏକ ଗାଁରେ ରହିଥିବା ପରମ୍ପରା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଆଜିବି ଏହି ପରମ୍ପରାକୁ ପାଳି ଆସୁଛନ୍ତି ସେଠାକାର ବାସିନ୍ଦା। ଏଠାରେ ବସବାସ କରୁଥିବା ଗୋଣ୍ଡ ଜନଜାତିରେ କୌଣସି ମହିଳା ଜୀବନକାଳ ମଧ୍ୟରେ ବିଧବା ହୁଅନ୍ତି ନାହିଁ ବୋଲି ସେଠାକାର ଲୋକେ କୁହନ୍ତି। କାରଣ ଏଠାରେ ଯଦି କୌଣସି ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୁଏ ତେବେ ଏମାନେ ଘରେ ଥିବା ଅବିବାହିତ ପୁରୁଷଙ୍କୁ ବିବାହ କରିଥାଆନ୍ତି। ଏକ୍ଷେତ୍ରରେ ବିଶେଷ କରି ଦିଅରମାନଙ୍କୁ ଉକ୍ତ ବିଧବା ମହିଳାଙ୍କ ସହ ବିବାହ ଦିଆଯାଇଥାଏ। କେତେକ ସ୍ଥଳେ ଯଦି କାହା ଘରେ ବିବାହ ଉପଯୁକ୍ତ ନାତି ଥାଆନ୍ତି ସେମାନଙ୍କ ସହ ମଧ୍ୟ ଉକ୍ତ ବିଧବା ମହିଳାଙ୍କର ବିବାହ କରାଯାଇଥାଏ। ଯଦି ଏହା ସମ୍ଭବ ନ ହୁଏ ତେବେ ଏହାର ବିକଳ୍ପ ମଧ୍ୟ ରଖାଯାଇଛି। ଉକ୍ତ ମହିଳାଙ୍କ ସ୍ବାମୀ ଯେବେ ଦେହତ୍ୟାଗ କରିଥାଆନ୍ତି ତା’ର ୧୦ ଦିନ ପୂରଣ ହେବା ପରେ ଗାଁର ଜଣେ ବ୍ୟକ୍ତି ଉକ୍ତ ମହିଳାଙ୍କୁ ରୂପା ଲାଗିଥିବା ଏକ ପାଟ ଉପହାର ଦେଇଥାଆନ୍ତି। ଯେଉଁ ବ୍ୟକ୍ତି ଏହି ପାଟଟି ଉପହାର ଦେଇଥାଆନ୍ତି, ସେହି ବ୍ୟକ୍ତିଙ୍କ ଘରକୁ ଉକ୍ତ ବିଧବା ମହିଳାଙ୍କୁ ପଠାଇ ଦିଆଯାଇଥାଏ। ସେବେଠାରୁ ସେ ତାଙ୍କ ଘରେ ରୁହନ୍ତି। ଏଠାରେ ଶାରୀରିକ ସମ୍ପର୍କକୁ ଏତେଟା ଗୁରୁତ୍ୱ ଦିଆଯାଇ ନ ଥାଏ। ହେଲେ ଗାଁରେ ମହିଳାଙ୍କୁ ବିଧବା ବେଶରେ ଦେଖିବା ଅଶୁଭ ବୋଲି କହି ଗାଁ ଲୋକେ ଆଜିବି ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି।

Share