Categories: ଫୁରସତ

ଏଠାରେ ୬୯ ଦିନ ବୁଡ଼ନ୍ତିନି ସୂର୍ଯ୍ୟ : ଶୀତଋତୁରେ ୯୦ ଦିନ ହୁଏ ଅନ୍ଧାର

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ବର୍ଷରେ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତିନି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ। ଏମିତି ଦୃଶ୍ୟ ଦେଖିବାକୁ ମିଳେ ନରଓ୍ବେର ସମାରୋହ ଦ୍ୱୀପରେ। ଏଠାରେ ୧୮ ମେ’ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତି ନାହିଁ। ଏହା ବ୍ୟତୀତ ଶୀତଋତୁରେ ୩ ମାସ ଅର୍ଥାତ ୯୦ ଦିନ ସୂର୍ଯ୍ୟ ଦେଖା ଦିଅନ୍ତି ନାହିଁ। ନରଓ୍ବେ ଦ୍ୱୀପ ବିଶ୍ୱର ପ୍ରଥମ ଟାଇମ୍‌ ଫ୍ରି ଜୋନ୍‌ ଭାବେ ଘୋଷଣା ହେବାକୁ ଯାଉଛି। ଏଥିପାଇଁ ସମାରୋହ ଦ୍ୱୀପରେ ବାସ କରୁଥିବା ପ୍ରାୟ ୩୦୦ ଲୋକ ଏକ ଅଭିଯାନ ଚଳାଇଛନ୍ତି। ଦ୍ୱୀପର ସମୟସୀମାରୁ ମୁକ୍ତି ପାଇବା ପାଇଁ ଟାଇମ୍‌ ଫ୍ରି ଜୋନ୍‌ ଭାବେ ଘୋଷଣା କରିବାକୁ ଜୋରଦାର୍‌ ପ୍ରଚାର କରୁଛନ୍ତି। ସ୍ଥାନୀୟ ଏମ୍‌ପି କେଣ୍ଟ୍‌ ଗୁଡ୍‌ମଣ୍ଡସ୍‌ମ୍ୟାନ୍‌ ଏହି ଅଭିଯାନକୁ ଆଗକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାବ୍ୟତୀତ ଏହି ଅଭିଯାନକୁ ଡେନମାର୍କ ଏବଂ ନରର୍ଲାଣ୍ଡ ମଧ୍ୟ ସମର୍ଥନ କରିଛନ୍ତି। ଏହା ପୂର୍ବରୁ ୟୁରୋପିଆନ୍‌ ୟୁନିଅନ୍‌ ମଧ୍ୟ ୨୦୨୧ ପର୍ଯ୍ୟନ୍ତ ଡିଲାଇଟ୍‌ ସେଭିଂ ଟାଇମ୍‌ (ବର୍ଷରେ ଦୁଇଥର ଘଣ୍ଟାକୁ ଆଗକୁ ବଢ଼ାଇବା ପ୍ରକ୍ରିୟା) ଶେଷ କରିବାକୁ କହିଛି। ଏହି ଅଭିଯାନର ଉଦ୍ଦେଶ୍ୟ ହେଲା ଲୋକେ ଯେତେବେଳେ ଯାହା ଚାହିଁବେ କରିପାରିବେ। ନିର୍ଦ୍ଦିଷ୍ଟ ଏକ ସମୟସୀମାରେ ବାନ୍ଧି ନ ହୋଇ ସ୍କୁଲ କଲେଜ ଯିବା କିମ୍ବା ଅନ୍ୟ କାମ କରିବା ପାଇଁ ମୁକ୍ତ ରହି ପାରିବେ। ଏତଦ୍‌ବ୍ୟତୀତ ନରଓ୍ବେକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସମୟ ଜଞ୍ଜାଳରେ ନ ଫସି ମୁକ୍ତ ଭାବେ ଜୀବନକୁ ଉପଭୋଗ କରିପାରିବେ।

Share