Categories: ବାଣିଜ୍ୟ

ଏଟିଏମ୍‌ର ସୁରକ୍ଷା ପାଇଁ ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ,୧୬-୬: ଏଟିଏମର ସୁରକ୍ଷା ବୃଦ୍ଧି ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗାଇଡ୍‌ଲାଇନ ଜାରି କରିଛି। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଏହାକୁ ଲାଗୁ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ବିଫଳ ହେଲେ ସେମାନଙ୍କୁ ଜରିମାନା ଦେବାକୁ ହେବ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଏଟିଏମ୍‌ ମେଶିନକୁ କାନ୍ଥ, ମେଜିଆ ଅଥବା ପିଲର୍‌ ସହିତ ସଂଯୁକ୍ତ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଅତ୍ୟନ୍ତ ସୁରକ୍ଷିତ ସ୍ଥାନ କୁହାଯାଉଥିବା ବିମାନ ବନ୍ଦରରେ ଥିବା ଏଟିଏମ୍‌କୁ ଏହି ସୁରକ୍ଷା ବ୍ୟବସ୍ଥାରୁ ବାଦ୍‌ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ୨୦୧୬ରେ ଏଟିଏମ୍‌ ସୁରକ୍ଷାର ସମସ୍ତ ଦିଗକୁ ସମୀକ୍ଷା କରିବା ଲାଗି ନଗଦ ଅର୍ଥକୁ ନେବା ଆଣିବା ନେଇ ଏକ କମିଟି (ସିସିଏମ୍‌) ଗଠନ କରିଥିଲା। କମିଟିର ସୁପାରିସ୍‌ ଆଧାରରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ନଗଦ ରଖିବା ଲାଗି ଏଟିଏମ୍‌ର ପରିଚାଳନା କେବଳ ଡିଜିଟାଲ ଓ୍ବନ୍‌ ଟାଇମ୍‌ କମ୍ବିନେଶନ(ଓଟିସି) ଲକ୍‌ ଜରିଆରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଛଡା ଏଟିଏମ୍‌ ଉପରେ ନଜର ରଖିବା ଲାଗି ବୃହତ ନଜର ରଖିବା ପ୍ରଣାଳୀ ସଂକ୍ରାନ୍ତରେ ବ୍ୟାଙ୍କଗୁଡ଼ିକ ବିଚାର କରିବାକୁ ଆର୍‌ବିଆଇ କହିଛି। ଏହାଦ୍ୱାରା ଯେକୌଣସି ସଙ୍କଟ ସମ୍ପର୍କରେ ପୂର୍ବରୁ ଚେତାବନୀ ମିଳିଯିବ।

Share