ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ : ଯୁବକ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର,୨୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ମହାମାରୀ କରୋନାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ି ଦିନରାତି ଏକ କରି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରୁଥିବାବେଳେ ଏହି ସମୟରେ କାର୍ଯ୍ୟରତ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାରଙ୍କୁ ମଙ୍ଗଳବାର ଆକ୍ରମଣ କରାଯାଇଛି। ଫଳରେ ସେ ଆହତ ହୋଇ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କଇଠଡ଼ା ଗ୍ରାମର ଲୋକନାଥ ପ୍ରଧାନ।
ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ପୁରୁଷୋତ୍ତମପୁର ଅତିରିକ୍ତ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁ ଓ ଜନ୍ମେଜୟ ସାହୁ ଗାଡ଼ିରେ ବିଭିନ୍ନ ଗ୍ରାମକୁ ଯାଇ ପାଟ୍ରୋଲିଂ କରି ଲୋକଙ୍କୁ ସଚେତନ କରୁଥିଲେ। ଏହି ସମୟରେ କଇଠଡ଼ା ନିକଟରେ ଦୁଇ ଜଣ ଯୁବକ କରୋନା କଟକଣା ଆଇନକୁ ଉଲ୍ଲଂଘନ କରି ମାସ୍କ ନ ପିନ୍ଧି ଏକ ମୋଟରସାଇକେଲରେ ଦେଶୀ ମଦ ଧରି ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲେ। ଫଳରେ ଲୋକନାଥ ଉତ୍‌କ୍ଷିପ୍ତ ହୋଇ ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତେବେ ଅନ୍ୟ ଯୁବକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଲୋକନାଥଙ୍କୁ ଅତିରିକ୍ତ ତହସିଲଦାର ଦୁହେଁ ଓ ତାଙ୍କ ଡ୍ରାଇଭର କୌଶଳ କ୍ରମେ କାବୁକରି ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ସହ ୧୦ ଲିଟର ଦେଶୀ ମଦ ଓ ମୋଟରସାଇକେଲ ଜବତ କରି ଥାନାକୁ ଆଣିଥିଲା। ଅତିରିକ୍ତ ତହସିଲଦାର ପୋଲିସରେ ରିପୋର୍ଟ ଦେବା ପରେ ଥାନା ଆଇଆଇସି ଜଗନ୍ନାଥ ମଲିକ କେସ ନଂ. ୧୦୧/୨୦ରେ ମାମଲା ରୁଜୁ କରି ଏହାର ତଦନ୍ତ ଲାଗି ଏସ୍‌ଆଇ ସୁନିଲ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିଲେ। ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବୁଧବାର ପୁରୁଷୋତ୍ତମପୁର କୋର୍ଟ ଚାଲାଣ କରାଯାଇଛି।