Categories: ଜାତୀୟ

ଏଏପି କାର୍ଯ୍ୟକର୍ତ୍ତାଙ୍କୁ ଗୁଳିମାଡ ଘଟଣା: ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୨।୨ : ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ନରେଶ ଯାଦବଙ୍କ ବିଜୟ ଶୋଭାଯାତ୍ରା ବେଳେ ଗୁଳିମାଡ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କାଳୁ, ଧାମୀ ଓ ଦେବ। ଏମାନେ ସମସ୍ତେ କିଷନଗରରେ ରୁହନ୍ତି। ଗିରଫ ପରେ ଗୁଳିକାଣ୍ଡରେ ସାମିଲ ଥିବା କଥା ପୋଲିସ ଆଗରେ ସେମାନେ ସ୍ବୀକାର କରିଛନ୍ତି। ପୋଲିସ ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ବିଧାୟକ ନରେଶ ଯାଦବଙ୍କ ଉପରେ ନୁହେଁ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଶୋକ ମନ ଓ ତାଙ୍କ ଭଣଜା ହରେନ୍ଦ୍ରଙ୍କୁ ମାରିବାକୁ ଆସିଥିଲେ। ଆକ୍ରମଣ ସମୟରେ ଦୁର୍ବୃତ୍ତମାନେ ଅଶୋକଙ୍କ ଅତି ନିକଟକୁ ଯାଇ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଯେଉଁଥିରୁ ଦୁଇଟି ଗୁଳି ହରେନ୍ଦ୍ରଙ୍କ ଦେହରେ ବାଜିଥିଲା। ଏଥିରେ ଅଶୋକଙ୍କ ମୃତ୍ୟୁ ଘଟିଥିବାବେଳେ ହରେନ୍ଦ୍ର ଆହତ ହୋଇଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀରେ ଏଏପିର ବିଜୟ ପରେ ମଙ୍ଗଳବାର ବିଳମ୍ବିତ ରାତିରେ ମହରୌଲି ବିଧାୟକ ନରେଶ ଯାଦବଙ୍କ ବିଜୟ ଶୋଭାଯାତ୍ରା ଚାଲିଥିବା ବେଳେ ଗୁଳିମାଡ ହୋଇଥିଲା।

Share