ଏଇ ଭାରତରେ

ବନବାସୀମାନଙ୍କ ଜୀବନଶୈଳୀକୁ ପ୍ଲାଷ୍ଟିକ ମୁକ୍ତ କରିବାରେ ଲାଗିଛନ୍ତି ପଶ୍ଚିମବଙ୍ଗର ସିଦ୍ଧାର୍ଥ ବ୍ଲୋନେ ଓ ସ୍ବେତା ପ୍ରଧାନ। ଏହି ଦମ୍ପତିଙ୍କ ବୟସ ପାଖାପାଖି ୪୦ ହେବ। ପଶ୍ଚିମବଙ୍ଗ ନେଓରା ଜଙ୍ଗଲ ନିକଟରେ ଥିବା କାଲିଂପଙ୍ଗ ଜିଲା ଗରୁବାଥାନ ଗାଁକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରି ଏକ ସ୍ବଚ୍ଛ ପରିବେଶ ଆଣିବାରେ ସକ୍ଷମ ହୋଇଛନ୍ତି। ସିଲିଗୁଡ଼ିଠାରୁ ୬୫ କି.ମି. ଦୂରରେ ଥିବା ଗରୁବାଥାନ ନୁହେଁ, ଏହାସହ ବହୁ ଗାଁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକଠାରୁ ପୂରା ଦୂରେଇ ଯାଇଛନ୍ତି। ପଲିଥିନ ବଦଳରେ ସେମାନେ କପଡ଼ା ବ୍ୟାଗ ବ୍ୟବହାର କରୁଛନ୍ତି। ଗାଁଗୁଡ଼ିକରେ ଡଷ୍ଟବିନ ରଖାଯାଉଛି। ସେଠାରୁ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯାଇ ରିସାଇକ୍ଲିଂ ପାଇଁ ସିଲିଗୁଡ଼ି ପଠାଯାଉଛି। କେବଳ ଏତିକି ନୁହେଁ ଏହି ଦମ୍ପତି ସେମାନଙ୍କୁ ଜୈବିକ କୃଷିମୁହାଁ ବି କରିପାରିଛନ୍ତି। ଲୋକମାନେ ରାସାୟନିକ ସାର ବ୍ୟବହାର ବନ୍ଦ କରି କୃଷିଜାତ ବର୍ଜ୍ୟବସ୍ତୁ ଓ ରୋଷେଇ ଘର ବର୍ଜ୍ୟରୁ ଖତ ପ୍ରସ୍ତୁତ କରୁଛନ୍ତି। ସିଦ୍ଧାର୍ଥ ଓ ଶ୍ୱେତା ଗତ ୮ ବର୍ଷ ଧରି ଏଭଳି ଅଭିଯାନ ଜାରି ରଖିଛନ୍ତି। ଏହି ଅଞ୍ଚଳର ଲୋକମାନଙ୍କୁ ସ୍ବାସ୍ଥ୍ୟକର ପାରମ୍ପରିକ ଖାଦ୍ୟ ଆଡକୁ ପୁଣି ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି ଏହି ଦମ୍ପତି। ସେମାନେ ପିଲାମାନଙ୍କୁ ଅମଳ କରୁଥିବା ପୁଷ୍ଟିକର ଖାଦ୍ୟ ଦେଉଛନ୍ତି। ସ୍କୁଲ୍‌ ଟିଫିନ୍‌ରେ ବି ଘର ଖାଦ୍ୟ ଦେଉଛନ୍ତି। ଫଳରେ ପିଲାମାନେ ପାଷ୍ଟ ଫୁଡ୍‌ ପ୍ରତି ଆଉ ଆଗ୍ରହୀ ହେଉନାହାନ୍ତି। ସୁସ୍ଥ ଜୀବନ ଲାଗି ଏହି ଦମ୍ପତି ଗ୍ରାମବାସୀମାନଙ୍କୁ ଯୋଗ ଶିକ୍ଷା ମଧ୍ୟ ଦେଉଛନ୍ତି।