ଏଇ ଭାରତରେ

ପରିବାରକୁ ନୂଆ ସନ୍ତାନଟିଏ ଆସିବାକୁ ଥିଲେ ଝିଅ କି ପୁଅ ହେବ ତାହାକୁ ନେଇ ଆରମ୍ଭ ହୋଇଯାଏ ଜ୍ୟୋତିଷ ଗଣନା। ଅନେକେ ବି ଗର୍ଭବତୀଙ୍କ ଲକ୍ଷଣକୁ ନେଇ ବାଢନ୍ତି ମନଗଢା କଥା। କିନ୍ତୁ ଏମିତି ଗାଁ ଅଛି ଯେଉଁଠି ଗର୍ଭବତୀଙ୍କର ଝିଅ କି ପୁଅ ହେବ ସେ ବିଷୟରେ ଆଗୁଆ ଜାଣିବାର ଏକ ଅନ୍ଧବିଶ୍ୱାସ ଏବେ ବି ସୁଦ୍ଧା ବଳବତ୍ତର ରହିଛି ।
ଗାଁର ନାଁ କୁର୍କା। ଝାଡ଼ଖଣ୍ଡ ଲୋହରଦଗା ଜିଲାରେ ଥିବା ଏହି ଗାଁରେ ଏକ ପାହାଡ଼ ଅଛି। ଚାନ୍ଦ ଆକୃତିର ଏକ ଚିହ୍ନ ରହିଛି ପାହାଡ଼ରେ । ଏଥିପାଇଁ ସ୍ଥାନୀୟ ଲୋକମାନେ ଏହାକୁ ଚାନ୍ଦ ପାହାଡ଼ କହନ୍ତି। ଝିଅ କି ପୁଅ ହେବ ତାହା ଜାଣିବା ଲାଗି ସନ୍ତାନ ଅଶାୟୀ ମା’-ବାପା ପାହାଡ଼ ଉପରେ ବିଶ୍ୱାସ ରଖିଛନ୍ତି। ଏଥିପାଇଁ ସେମାନେ ଅନ୍ଧବିଶ୍ୱାସଭିତ୍ତିକ ଏକ ଭିନ୍ନ ତରିକା ଆପଣାଉଛନ୍ତିି। ପାହାଡ଼ ପାଖକୁ ଯାଇ ପଥର ଫିଙ୍ଗା ପରୀକ୍ଷା ଦିଅନ୍ତି ଗର୍ଭବତୀ ମହିଳା । ପାହାଡ଼ ପାଖରେ ପହଞ୍ଚତ୍ବା ପରେ ସେମାନେ ଦୂରରେ ଠିଆ ହୋଇ ପାହାଡ଼ରେ ଥିବା ଚାନ୍ଦକୁ ଲକ୍ଷ୍ୟ କରି ଏକ ପଥର ଫିଙ୍ଗନ୍ତି। ଯଦି ଚାନ୍ଦ ଭିତରେ ପଥର ବାଜେ ତେବେ ପୁଅ ଓ ବାହାରେ ବାଜିଲେ ଝିଅ ହେବ ବୋଲି ସେମାନେ ବିଶ୍ୱାସ କରନ୍ତିି। କେବଳ ଏତିକି ନୁହେଁ ପାହାଡ଼ରେ ଥିବା ଚାନ୍ଦର ଆକୃତିରୁ ମାତୃଗର୍ଭରେ ବଢୁଥିବା ପିଲାର ଆକୃତି ବି ଜାଣିହୁଏ ବୋଲି ଏଠାକାର ଲୋକଙ୍କ ବିଶ୍ୱାସ ରହିଛି। ନାଗବଂଶୀ ରାଜାଙ୍କ ସମୟରୁ ଚାଲିଆସୁଥିବା ଏହି ପରମ୍ପରାରେ କିଛି ଅର୍ଥ ବ୍ୟୟ ନ କରି ମଧ୍ୟ ଗର୍ଭସ୍ଥ ସନ୍ତାନର ଲିଙ୍ଗ ନିରୂପଣ କରିହେଉଛି ବୋଲି କହନ୍ତି ଗ୍ରାମବାସୀ।