ଋଣ ଆଦାୟ ପାଇଁ ବୁଲୁଛନ୍ତି ଫାଇନାନ୍ସ କର୍ମଚାରୀ

ବାଲିଆ,୭ା୫: ମହାମାରୀ କରୋନା ମୁକାବିଲା ପାଇଁ ଦେଶ୍‌ ଲକ୍‌ଡାଉନ ହୋଇଛି। ଫଳରେ ଲୋକେ ଏବେ ଘରେ ବସି ରହିଛନ୍ତି। ମାତ୍ର ଏହି ସମୟରେ ବିଭିନ୍ନ ଫାଇନାନ୍ସ ସଂସ୍ଥା ଲୋକଙ୍କୁ ଦେଇଥିବା ଋଣ ଆଦାୟ କରିବାରେ ଲାଗି ପଡ଼ିଛନ୍ତି। ସଂସ୍ଥାର କର୍ମଚାରୀମାନ ବିଭିନ୍ନ ଗ୍ରାମ ବୁଲି ଲୋକଙ୍କୁ ଋଣ କିସ୍ତି ମାଗୁଥିବା ଅଭିଯୋଗ ହୋଇଛି।
ତେବେ ଋଣ ଆଦାୟ ବନ୍ଦ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ଫାଇନନ୍ସ ସଂସ୍ଥା ମାନୁ ନ ଥିବା ବିରିଡ଼ି ବ୍ଲକ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ସୋମବାର ବିରିଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନେ ବୁଲୁଥିବା ଦେଖିବାକୁ ମିଳିଛି। ଏପରି କି ଋଣ ନେଇଥିବା ମହିଳାଙ୍କ ଉପରେ ଜୁଲୁମ ଆରମ୍ଭ କରିବା ସହ ସେମାନଙ୍କୁ ଚାପଗ୍ରସ୍ତ କରିଥିବା ଅଭିଯୋଗ ହେଉଛି। କୁଳକଇଜଙ୍ଗାର ଜଣେ ମହିଳା ଋଣ ଶୁଝି ନ ପାରି କିଛିଦିନ ହେବ ଆତ୍ମହତ୍ୟା କରିଥିବା ବିରିଡି ଥାନାରେ ଅଭିଯୋଗ ହୋଇଥିଲା। ଏହା ସତ୍ତ୍ୱେ ୨ଦିନ ହେବ କୁଳକଇଜଙ୍ଗାର କିଛି ଗ୍ରାମରେ ଫାଇନନ୍ସ ସଂସ୍ଥା କର୍ମଚାରୀ ଗରିବ ଲୋକଙ୍କୁ ଋଣ ସୁଝିବା ପାଇଁ ଜୁଲମ ଆରମ୍ଭ କରିଦେଇଥିବାରୁ ଲୋକଙ୍କ ମଧ୍ୟରେ ଉଜେନ ପ୍ରକାଶ ପାଇଛି। ଅନ୍ୟପଟେ ଲକଡାଉନସତ୍ତ୍ୱେ ଏହି କର୍ମଚାରୀମାନେ କେନ୍ଦ୍ରାପଡ଼ା, କଟକ, ଯାଜପୁର, ପୁରୀ, ପାରାଦୀପ ଅଞ୍ଚଳରୁ ବିରିଡ଼ିକୁ ଆସି ଲୋକଙ୍କୁ ଏପରି ହଇରାଣ କରୁଛନ୍ତି। ତେଣୁ ଜିଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ସହ ଋଣ ଆଦାୟ ବନ୍ଦ କରିବା ପାଇଁ ଦାବି ହୋଇଛି।