Categories: ଜାତୀୟ

ଋଣଭାର ଯୋଗୁ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୩ ପିଢ଼ି

ଚଣ୍ଡିଗଡ଼,୧୨।୯: ସରକାର ଚାଷୀଙ୍କ ଋଣଭାର କମାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି। ହେଲେ ଯୋଜନା ସବୁ ବାଟବଣା ହେଉଛି। ଫଳରେ ଋଣ ଭାର ସହି ନ ପାରି ଚାଷୀମାନେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏଥିଯୋଗୁ ଏବେ ଗୋଟିଏ ପରିବାରର ୩ ପିଢ଼ି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ପଞ୍ଜାବର ବରନାଲାର ଭଟୋଲା ଗାଁରେ ୪୦ ବର୍ଷ ତଳେ କରାଯାଇଥିବା ଋଣର ପରିଶୋଧ କରି ନ ପାରିବାରୁ ପରିବାରର ଜଣେ ୨୨ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି। ସେ ଋଣ ବରନାଲା ପରିବାରର ଗୋଟିଏ ନୁହଁ ବରଂ ୩ ପିଢ଼ିର ପୁରୁଷଙ୍କ ଜୀବନ ନେଇସାରିଛି। ପୂର୍ବରୁ ସେ ଋଣ ପରିଶୋଧ କରିପାରି ନ ଥିବାରୁ ଜେଜେଙ୍କ ବାପା, ଓ ତାଙ୍କ ଭାଇ, ଜେଜେ ଓ ବାପା ଆତ୍ମହତ୍ୟା କରିଥିଲେ। ଏବେ ତାଙ୍କ ପୁଅ ଲଭପ୍ରୀତ ଆତ୍ମହତ୍ୟା କରିଛନ୍ତି। ଉକ୍ତ ପରିବାରରେ ଏବେ କେବଳ ମହିଳା ରହିଯାଇଛନ୍ତି। ସେହିପରି ପରିବାରର ପୂର୍ବ ପୁରୁଷ ସାହୁକାର ଠାରୁ ୬ଲକ୍ଷ ଓ ବ୍ୟାଙ୍କରୁ ୨ଲକ୍ଷ ଟଙ୍କାର ଋଣ ନେଇଥିଲେ। ତେବେ ୩ ପିଢ଼ି ନେଇଥିବା ଋଣ ସମୟ ହିସାବରେ ବଢ଼ି ବଢ଼ି ୮.୫୭ଲକ୍ଷ ଟଙ୍କାକୁ ପହଞ୍ଚିଛି। ଯାହାକୁ ଏବେ ପର୍ଯ୍ୟନ୍ତ ଏହି ପରିବାର ପରିଶୋଧ କରିପାରି ନାହାନ୍ତି। ପଞ୍ଜାବ ସରକାର ରାଜ୍ୟରେ ୫ ଲକ୍ଷ ଟଙ୍କା ଋଣ ଛାଡ଼ ପାଇଁ ଯୋଜନା କରିଥିବା ବେଳେ ଏହି ପରିବାରର ମାତ୍ର ୫୭ ହଜାର ଟଙ୍କା ଛାଡ଼ ହୋଇଥିଲା। ରାଜ୍ୟରେ କୃଷକମାନଙ୍କର ଆତ୍ମହତ୍ୟା ରୋକିବାରେ ପଞ୍ଜାବ ସରକାରଙ୍କ ଋଣ ଛାଡ଼ ଯୋଜନା ବିଫଳ ହୋଇଛି। ଏହି ଯୋଜନା ଆରମ୍ଭ ହେବା ପରଠାରୁ ୬୦ରୁ ଅଧିକ କୃଷକ ଆତ୍ମହତ୍ୟା କଲେଣି ବୋଲି ଅକାଳି ଦଳର ନେତା ସତନାମ ସିଂହ କହିଛନ୍ତି।

Share