ଉଧାର ଟଙ୍କା ନ ଦେବାରୁ ଠେଙ୍ଗାରେ ପିଟି ହତ୍ୟା : ଅଭିଯୁକ୍ତ ଅଟକ

କେସିଙ୍ଗା,୧।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଗାଈଗା ପଞ୍ଚାୟତର କେରୋକୁଡ଼ା ଗ୍ରାମର ଶୁକଦେବ ସା(୩୫)ଙ୍କୁ ସେହି ଗ୍ରାମର ବିଭୂତି ବୁଦ୍ଧିଆ (୩୦) ଠେଙ୍ଗାରେ ପିଟି ହତ୍ୟା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ସୂଚନାନୁଯାୟୀ, ଶୁକଦେବଙ୍କୁ କିଛିଦିନ ତଳେ ବିଭୂତି ୬ ହଜାର ଟଙ୍କା ଉଧାର ଦେଇଥିଲେ। କିନ୍ତୁ ବିଭୂତି ଟଙ୍କା ମାଗି ମାଗି ଥକି ଯାଇଥିଲେ ହେଁ ଶୁକଦେବ ଫେରାଇ ନ ଥିଲେ। ଏହି ରାଗରେ ବିଭୂତି ଶନିବାର ରାତିରେ ଏକ ଠେଙ୍ଗା ଧରି ଶୁକଦେବଙ୍କୁ ଜଗି ବସିଥିଲେ। ଶୁକଦେବ ସେହିବାଟ ଦେଇ ଯିବାବେଳେ ବିଭୂତି ଠେଙ୍ଗା ସାହାଯ୍ୟରେ ତାଙ୍କୁ ମୁଣ୍ଡକୁ ପିଟିଥିଲେ। ଗ୍ରାମବାସୀ ଉତ୍କେଲା ଫାଣ୍ଡି ଅଧିକାରୀଙ୍କୁ ଏନେଇ ଜଣାଇବା ପରେ ରବିବାର ଘଟଣାସ୍ଥଳରେ ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ,ତଦନ୍ତକାରୀ ଅଫିସର ବିକେ ରାଓ, ଅନ୍ୟାନ୍ୟ ପୋଲିସ କର୍ମଚାରୀ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରୁଛନ୍ତି। ଏନେଇ କେସିଙ୍ଗା ଥାନାରେ କେସ ନଂ ୨୩୩/୧୯ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଘଟଣା ସମ୍ପର୍କରେ ତଦନ୍ତକାରୀ ଅଫିସରଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଥିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ସରକାରୀ ହସ୍ପିଟାଲକୁ ପଠାଯାଇଥିବା କହିଛନ୍ତି।