Categories: ଜାତୀୟ

ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ:ଶିବସେନାକୁ ଗୃହ, ଏନ୍‌ସିପିକୁ ଅର୍ଥ

ମୁମ୍ବାଇ, ୧୩ା୧୨(ପି.ଟି.):ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗୁରୁବାର ତାଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି। ଶିବସେନାକୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ମିଳିଥିବାବେଳେ ସହଯୋଗୀ ଏନ୍‌ସିପିକୁ ଅର୍ଥ ଓ କଂଗ୍ରେସକୁ ରାଜସ୍ବ ବିଭାଗ ମିଳିଛି। ଶିବସେନା-ଏନ୍‌ସିପି-କଂଗ୍ରେସକୁ ନେଇ ଗଠିତ ମହା ବିକାଶ ଅଘାଡି ସରକାର ନଭେମ୍ବର ୨୮ରେ ଶପଥ ନେଇଥିଲା। ମୁଖ୍ୟମନ୍ତ୍ରୀ ଠାକ୍‌ରେଙ୍କ କ୍ୟାବିନେଟରେ ପ୍ରତି ଦଳରୁ ଦୁଇଜଣ ଲେଖାଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିବୃତି ଅନୁଯାୟୀ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ଗୃହ, ସହରାଞ୍ଚଳ ବିକାଶ, ଜଙ୍ଗଲ, ପରିବେଶ, ଜଳଯୋଗାଣ, ଜଳ ସଂରକ୍ଷଣ, ପର୍ଯ୍ୟଟନ, ସାଧାରଣ ଉଦ୍ୟୋଗ, ସଂସଦୀୟ ବ୍ୟାପାର ବିଭାଗ ମିଳିଛି। ଅନ୍ୟତମ ଶିବସେନା ମନ୍ତ୍ରୀ ସୁଭାଷ ଦେଶାଇଙ୍କୁ ଶିଳ୍ପ, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବକଲ୍ୟାଣ, ଉଦ୍ୟାନ କୃଷି, ପରିବହନ, ମରାଠୀ ଭାଷା ଓ ସଂସ୍କୃତି ବ୍ୟାପାର ବିଭାଗ ଦିଆଯାଇଛି। ସେହିପରି ଏନ୍‌ସିପି ମନ୍ତ୍ରୀ ଜୟନ୍ତ ପାଟିଲଙ୍କୁ ଅର୍ଥ ଓ ଯୋଜନା, ଗୃହନିର୍ମାଣ, ଜନସ୍ବାସ୍ଥ୍ୟ, ସମବାୟ, ଖାଦ୍ୟ ଓ ସାଧାରଣ ବଣ୍ଟନ, ଶ୍ରମ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମିଳିଥିବାବେଳେ ଛଗନ ଭୁଜବଳଙ୍କୁ ଜଳସେଚନ, ଗ୍ରାମାଞ୍ଚଳ ବିକାଶ, ସାମାଜିକ ନ୍ୟାୟ, ଅବକାରୀ, ଦକ୍ଷତା ବିକାଶ, ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ ମିଳିଛି। କଂଗ୍ରେସ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କୁ ରାଜସ୍ବ, ଶକ୍ତି, ଭେଷଜ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, ପ୍ରାଣୀ ସମ୍ପଦ ଓ ଡାଏରୀ ବିକାଶ, ମତ୍ସ୍ୟ ବିଭାଗ ଦିଆଯାଇଥିବାବେଳେ ନୀତୀନ ରାଉତ୍‌ଙ୍କୁ ପୂର୍ତ୍ତ, ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ କଲ୍ୟାଣ, ବୟନଶିଳ୍ପ, ସହାୟତା ବିଭାଗ ପ୍ରଦାନ କରାଯାଇଛି।

Share