ଉଦ୍‌ଘାଟନ ହେଲା ଆଞ୍ଚଳିକ ଜୁଡିସିଆଲ ଏକାଡେମୀ

ବ୍ରହ୍ମପୁର ଅଫିସ,୧୩ା୫: ବ୍ରହ୍ମପୁର ଜିଲା ଜଜ୍‌ କୋର୍ଟ ପରିସରରେ ଶନିବାର ପୂର୍ବାହ୍ନରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଉଦ୍‌ଘାଟନ କରିଛନ୍ତି। କଟକ ମର୍କତନଗରସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରୁ ଆଭାସି ମାଧ୍ୟମରେ ସୁପ୍ରିମକୋର୍ଟ ବିଚାରପତି ଏହି ଉଦ୍‌ଘାଟନ କରିଛନ୍ତି। ଆଭାସିରେ ଉଦ୍‌ଘାଟନ ହେବା ବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓଡ଼ିଶା ଜୁଡିସିଆଲ ଏକାଡେମୀରେ ଉପସ୍ଥିତ ଥିଲେ। ବ୍ରହ୍ମପୁରରେ ଖୋଲିଥିବା ଆଞ୍ଚଳିକ ଜୁଡିସିଆଲ ଏକାଡେମୀରେ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ପ୍ରମୁଖ ଜିଲାର ଜୁଡିସିଆଲ ଅଫିସରମାନେ ତାଲିମ ନେବେ। ବ୍ରହ୍ମପୁରସ୍ଥିତ ଜିଲା ଓ ଦୌରାଜଜ କୋର୍ଟ ପରିସରରେ ଉଦ୍‌ଘାଟନ ବେଳେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ଦେବବ୍ରତ ଦାସ, ଜିଲା ଓ ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା, ରେଜିଷ୍ଟ୍ରାର ସୁଶାନ୍ତ ମିଶ୍ରଙ୍କ ସମେତ ଅନ୍ୟାନ୍ୟ କୋର୍ଟର ବିଚାରପତି ଓ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ଥିଲେ। ଏହାସହ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ ଏମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଶନିବାର ଏହି ଆଞ୍ଚଳିକ ଜୁଡିିସିଆଲ ଏକାଡେମୀ ପରିସରରେ ୨୫ ଜଣ ଜୁଡିସିଆଲ ଅଫିସର ତାଲିମ ନେଇଛନ୍ତି। ସେମାନଙ୍କୁ ମାଷ୍ଟର ଟ୍ରେନରମାନେ ତାଲିମ ଦେଇଥିଲେ।