ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ

କୁଆଲାଲାମପୁର,୨୪।୨: ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଯୁକ୍ତିକୁ ସବୁବେଳେ ସମର୍ଥନ କରୁଥିବା ୯୪ବର୍ଷୀୟ ମହାତୀର ସୋମବାର ନିଜର ଇସ୍ତଫା ପତ୍ରକୁ ମାଲେସିଆର ରାଜାଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି। ଏନେଇ ତାଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏହାପରେ ମାଲେସିଆରେ ନୂଆ ସରକାର ଗଠନ ହେବା ନେଇ ସ୍ପଷ୍ଟ ହୋଇଛି। ରବିବାର ଚର୍ଚ୍ଚା ହୋଇଥିଲା ଯେ, ଖୁବ୍‌ଶୀଘ୍ର ମହାତୀର ନୂଆ ଦଳ ଗଠନ କରିବେ। କିନ୍ତୁ ସବୁ ଚର୍ଚ୍ଚାକୁ ଆଡେଇ ମହାତୀର ଅଚାନକ ଇସ୍ତଫା ଦେଇଛନ୍ତି। ସୂଚନା ମୁତାବକ କିଛି ଦିନରୁ ମାଲେସିଆ ରାଜନୀତିରେ ଅସ୍ଥିରତା ଲାଗି ରହିଛି। କ୍ଷମତାରେ ଥିବା ମେଣ୍ଟ ସରକାରକୁ ବିରୋଧୀ ଦଳ ଭାଙ୍ଗିବାକୁ ଚେଷ୍ଟା କରିବା ପରେ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୮ ମେ ୧୦ରେ ମହାତୀର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ।

Share