ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ଏନେଇ ସେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି।
ଗତ ରାଜ୍ୟ ସଭା ନିର୍ବାଚନରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା କ୍ରସ ଭୋଟିଂ କରିଥିବାରୁ ତାଙ୍କୁ ପାର୍ଟିରୁ ନିଲମ୍ବନ କରାଯାଇଥିବା ପ୍ରତିବାଦରେ ସେ ପାର୍ଟିର ପ୍ରାଥମିକ ସଦସ୍ୟ ସମେତ ପିସିସି ସଭ୍ୟପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି।ଅରବିନ୍ଦ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ସେ କଂଗ୍ରେସ ର ଜଣେ ସୁସଙ୍ଗଠକ ଭାବେ ବେଶ ଜଣାଶୁଣା ଥିଲେ।ସମଗ୍ର ଗଞ୍ଜାମ ଜିଲାରେ କଂଗ୍ରେସର ନେତୃତ୍ୱ ନେଉଥିବା ସାନଖେମୁଣ୍ଡି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଥିବାରୁ ସେ ଏହାର ତୀବ୍ର ବିରୋଧ କରିଛନ୍ତି। ପିସିସି ସଭାପତି ଏବଂ ତାଙ୍କ ପୁଅ ବିଧାୟକ ସାଗର ଦାସଙ୍କ ଏକଛତ୍ରବାଦ ନୀତି ଯୋଗୁ ସେ କଂଗ୍ରେସ ଦଳ ତ୍ୟାଗ କରିଥିବା ନେଇ ତାଙ୍କ ଲିଖିତ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି।

