ଇରାନ ଉପରେ କଠୋର କଟକଣା

ଓ୍ବାଶିଂଟନ,୯ା୧: ଇରାନ ଉପରେ ଆମେରିକା ପୂର୍ବରୁ କେତେକ କଟକଣା ଜାରି କରିଥିବାବେଳେ ବୁଧବାର ରାତିରେ ଆହୁରି କେତୋଟି କଠୋର କଟକଣା ଲାଗୁ କରିବା ପାଇଁ ଘୋଷଣା କରିଛି। ଇରାନର ବ୍ୟବହାରରେ ପରିବର୍ତ୍ତନ ନ ଆସିବା ଯାଏ ଏହି କଟକଣା ବଜାୟ ରହିବ ବୋଲି ଆମେରିକା ରାଷ୍ଟ୍ରପତି ଡ୍ରୋନଲ୍ଡ ଟ୍ରମ୍ପ୍‌ ସ୍ପଷ୍ଟ କରିଛନ୍ତି। ଏହାସହ ୟୁରୋପ ସମେତ ରୁଷିଆ ଓ ଚାଇନା ଭଳି ପକ୍ଷଙ୍କୁ ୨୦୧୫ ଇରାନ ଆଣବିକ ଚୁକ୍ତିରୁ ଓହରିଯାଇ ନୂଆ ବୁଝାମଣା ପାଇଁ ପ୍ରସ୍ତୁତ ହେବାକୁ ସେ ଆହ୍ବାନ ଦେଇଛନ୍ତି। ସେହିପରି ମଧ୍ୟପ୍ରାଚ୍ୟରେ ନାଟୋ ଅଧିକ ସକ୍ରିୟ ହେବା ଉଚିତ ବୋଲି କହିଛନ୍ତି।
ଇରାକରେ ଥିବା ଆମେରିକାର ଦୁଇଟି ସେନାଘାଟି ଉପରେ ଆକ୍ରମଣ କରି ୮୦ ସୈନ୍ୟଙ୍କ ଜୀବନ ନେଇଥିବା ଇରାନ ଦାବି କରିଥିବାବେଳେ ଟ୍ରମ୍ପ୍‌ ବୁଧବାର ଏହାକୁ ଖଣ୍ଡନ କରିଛନ୍ତି। ଇରାନର ମିଶାଇଲ ମାଡ଼ରେ କେହି ଜଣେ ହେଲେ ଆମେରିକୀୟ ସୈନ୍ୟ ମରିନାହାନ୍ତି ବୋଲି ସେ କହିଛନ୍ତି। ଏହାସହ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଇରାନକୁ ସେ ଶାନ୍ତିପଥର ଅନୁଗାମୀ ହେବାକୁ ପ୍ରସ୍ତାବ ଦେଇଛନ୍ତି। ହ୍ବାଇଟ୍‌ ହାଉସ ଗ୍ରାଣ୍ଡ ଫୋୟରରୁ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଟ୍ରମ୍ପ୍‌ କହିଛନ୍ତି, ଇରାନର ଆକ୍ରମଣରେ ଆମ ସେନାଘାଟିର ବହୁତ କମ୍‌ କ୍ଷତି ହୋଇଛି। ଏଥିରେ ଆମେରିକା କିମ୍ବା ଇରାକର କେହି ମୃତାହତ ହୋଇନାହାନ୍ତି ।

Share