Categories: ଜାତୀୟ

ଇରାନରେ ଭାରତୀୟଙ୍କ ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ,୯ା୧: ଓ୍ବାଶିଂଟନ ଓ ତେହେରାନ ଯୁଦ୍ଧମୁହଁ। ହୋଇଥିବାରୁ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା ବଢ଼ିଲାଣି। ସେଥିପାଇଁ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶକୁ ଆଣିବା ଲାଗି ଭାରତୀୟ ନୌସେନାର ଆଇଏନ୍‌ଏସ୍‌ ତ୍ରିଖଣ୍ଡ ଇରାନ ଯିବ। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ ରବୀଶ କୁମାର କହିଛନ୍ତି, ଇସ୍‌ଲାମିକ ରାଷ୍ଟ୍ର ଇରାନରୁ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଅଣାଯାଇପାରିବ। ଆବଶ୍ୟକ ହେଲେ ଆଇଏନ୍‌ଏସ୍‌ ତ୍ରିଖଣ୍ଡକୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ। ତ୍ରିଖଣ୍ଡ ୨୦୧୯ ସେପ୍ଟେମ୍ବରରୁ ଓମାନ ଉପସାଗରରେ ରହିଛି। ତେଣୁ ଏହାକୁ ଇରାନରୁ ଭାରତୀୟଙ୍କୁ ଆଣିବା କାର୍ଯ୍ୟରେ ଲଗାଯାଇପାରିବ ବୋଲି ସେ କହିଛନ୍ତି। ପ୍ରକାଶ ଯେ ତଲଓ୍ବାର ବର୍ଗର ଫ୍ରିଗେଟ ଆଇଏନ୍‌ଏସ୍‌ ତ୍ରିଖଣ୍ଡକୁ ରୁଷିଆର ୟନ୍ତର ଶିପ୍‌ୟାର୍ଡରେ ନିର୍ମାଣ କରାଯାଇଥିଲା। ୨୦୧୩ ଜୁନ ୨୯ରେ ଏହା ଭାରତୀୟ ନୌସେନାରେ ସାମିଲ ହୋଇଥିଲା। ଏହାର ଘଣ୍ଟା ପ୍ରତି ସର୍ବାଧିକ ବେଗ ୫୬ କି.ମି.। ତ୍ରିଖଣ୍ଡରେ ୧୮ ଅଧିକାରୀଙ୍କ ସମେତ ୧୮୦ ନାବିକ ଅଛନ୍ତି।

Share