ଇଦ୍‌-ଉଲ୍‌-ଜୁହା ଲାଗି ଖର୍ଚ୍ଚ ମାଗିବାରୁ ‘ତଲାକ’

ସୋର, ୧୪।୮(ଡି.ଏନ.ଏ.)-ତିନି ତଲାକ୍‌କୁ ଉଚ୍ଚାରଣ କରି ଛାଡପତ୍ର ଦେବା ବେଆଇନ ଘୋଷଣା କରାଯାଇଛି। ଏହାକୁ ଅମାନ୍ୟ କଲେ ୩ ବର୍ଷ ଜେଲଦଣ୍ଡ ବିଧାନ ବ୍ୟବସ୍ଥା ହୋଇଛି। ଏହାସତ୍ତ୍ୱେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଜଣେ ମୁସଲିମ ମହିଳା ରବିବାର ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ମଙ୍ଗଳବାର ସୋର ମ୍ୟୁନିସିପାଲିଟି ପଠାଣମହଲା ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଲାକ ଦେଇଛନ୍ତି। ସମ୍ପୃକ୍ତ ମହିଳା ଜଣକ ସୋର ବ୍ଲକ ପରିସରରେ ଚାଲିଥିବା ମିଳିତ ଅଭିଯୋଗ ଜନଶୁଣାଣି ଶିବିରରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍‌ପି ବି. ଯୁଗଳ କିଶୋର କୁମାରଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଜିଲାପାଳ ଏହାର ତଦନ୍ତ କରିବାକୁ ସୋର ଥାନାଧିକାରୀ କ୍ଷମାସାଗର ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ ମେ’ ୨ ତାରିଖରେ ଭଦ୍ରକ ଜିଲା ଆଗରପଡ଼ା ଅଞ୍ଚଳର ନାସିର ଖାଁଙ୍କ ଝିଅ ରେସୋ ଖାତୁନ (୨୪) ସୋର ଥାନା ଅନ୍ତର୍ଗତ ପଠାଣମହଲା ଗ୍ରାମର ସହିମ ଖାଁଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ବିବାହର ୬ମାସ ପରେ ରେସୋଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା ଆରମ୍ଭ ହୋଇଥିଲା। ଏପରିକି ଶାରୀରିକ ନିର୍ଯାତନା ଯୋଗୁ ତାଙ୍କର ଗର୍ଭପାତ ହୋଇଯାଇଥିଲା। ଏନେଇ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସହାୟତାରେ ବୈଠକ ବସି ବାରମ୍ବାର ଏହି ବିବାଦର ସମାଧାନ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଶ୍ୱଶୁର କୟୁମ ଖାଁ , ଶାଶୁ ରାଜିଆ ବିବି ମଧ୍ୟ ବୋହୂ ରେସୋଙ୍କୁ ଅତ୍ୟାଚାର କରିଚାଲିଥିଲେ। ଶେଷରେ ରେସୋ ବାପଘରକୁ ପଳାଇ ଯାଇଥିଲେ। ପରେ ସେ ଶ୍ୱଶୁର ଘରକୁ ଆସି ଏକୁଟିଆ ଚଳୁଥିଲେ। ଅନ୍ୟପକ୍ଷରେ ସ୍ବାମୀ ସହିମ ଅନ୍ୟ ଜଣେ ଝିଅ ସହିତ ସମ୍ପର୍କ ରଖିବା ସହ ଭଉଣୀ ଘରେ ରହୁଥିବା ରେସୋ ଅଭିଯୋଗ କରିଛନ୍ତି। ସ୍ବାମୀ ସହିମ ୨୦୧୭ ଡିସେମ୍ବର ୨୨ ତାରିଖ, ୨୦୧୮ ଜାନୁୟାରୀ ୨୨ ତାରିଖ ଓ ଫେବୃୟାରୀ ୨୨ ତାରିଖରେ ଏକ କାଗଜ ଯୋଗେ ତିନିଥର ତଲାକ ଲେଖି ପନତ୍ୀ ରେସୋଙ୍କୁ ଦେଇଛନ୍ତି। ଏବେ ରେସୋ ଏକୁଟିଆ ଶ୍ୱଶୁର ଘରେ ରହୁଥିବା ବେଳେ ସୋମବାର ଇଦ୍‌-ଉଲ୍‌-ଜୁହା ପାଳନ ପାଇଁ ସ୍ବାମୀ ସହିମଙ୍କ ଦୋକାନକୁ ଖର୍ଚ୍ଚ ମାଗିବାକୁ ଯାଇଥିଲେ। ସେଠାରେ ସ୍ବାମୀ ସହିମ ରେସୋଙ୍କୁ ତିନିଥର ତଲାକ, ତଲାକ, ତଲାକ କହିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ରେସୋ ତାଙ୍କ ଓକିଲ କାହ୍ନୁଚରଣ ବେହେରାଙ୍କ ସହାୟତାରେ ମଙ୍ଗଳବାର ଅପରାହ୍ନରେ ସୋର ଥାନାରେ ପହଞ୍ଚତ୍ଛନ୍ତି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।