Categories: ବାଣିଜ୍ୟ

ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ଶୁଭାରମ୍ଭ

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ସ୍ଥାନୀୟ ଜନତା ମୈଦାନଠାରେ ଶୁକ୍ରବାରଠାରୁ ଶୁଭାରମ୍ଭ ହୋଇଛି। କେନ୍ଦ୍ରପଡା ଏମ୍‌ଏଲ୍‌ଏ ଶଶିଭୂଷଣ ବେହେରା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଆଇପିଏସ୍‌ ଅନୁପ ମୋହନ ପଟ୍ଟନାୟକ, ଓଡ଼ିଶା ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଏହାକୁ ଉନ୍ମାଚନ କରିଥିଲେ। ୧୧ ଦିନ ଧରି ଏହି ବାଣିଜ୍ୟ ମେଳା ଚାଲିବ। ଏଠାରେ ୨୦ଟି ରାଜ୍ୟ ଏବଂ ୧୦ଟି ଦେଶର ବ୍ୟବସାୟୀ ସେମାନଙ୍କ ଷ୍ଟଲ ସ୍ଥାପନ କରିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଲ୍‌ଡିଂ ସାମଗ୍ରୀ, ଫର୍ନିଚର, ଇଣ୍ଟେରିୟର, ହୋମ ଡେକର, ଆଣ୍ଟିକ ପ୍ରଡକ୍ଟ, ପେଣ୍ଟିଂ କିଚେନ ଆପ୍ଲାଏନ୍ସ, କୁକେରୀ, ବୁଟିକ, ବିଉଟି ପ୍ରଡକ୍ଟ, ହେଲଥ ପ୍ରଡକ୍ଟ, ଫ୍ୟାସନେବଲ ଜୁଏଲେରି, ଥାଇଲାଣ୍ଡ ଫ୍ଲାଓ୍ବାର, ଡ୍ରେସ, ରାଜସ୍ତାନୀ ମାର୍ବଲ, ଆଫଗାନିସ୍ତାନ ଶୁଖା ଫଳ, ସାରା ଦେଶରୁ ବୟନ ଏବଂ ହସ୍ତତନ୍ତ ସାମଗ୍ରୀ, ପୁରୁଷ ଏବଂ ମହିଳାଙ୍କ ଲାଗି ପୋଷାକପତ୍ର ଉପଲବ୍ଧ ହେବ। ମେଳାରେ ଫୁଡ ଏବଂ ସେଲ୍ଫି ଜୋନ ସ୍ଥାପନ କରାଯାଇଛି। ପ୍ରଥମଥର ଲାଗି ଏଠାରେ ସ୍ମାର୍ଟ ଶ୍ରୀମତୀ ଏବଂ ଲିଟିଲ୍‌ କ୍ୱିନ ପ୍ରତିଯୋଗିତା ଆୟୋଜନ କରାଯିବ। ସେହିଭଳି ନାରେଡ୍‌କୋ ଓଡିଶା ପକ୍ଷରୁ ବିଲଡିଂ ଏକ୍ସପୋ ଏଠାରେ ଅନୁଷ୍ଠିତ ହେଉଛି। ବିଲଡିଂ ମାଟେରିଆଲ, ରିୟଲ ଇଷ୍ଟେଟ, ଫାଇନାନ୍ସ, କନଷ୍ଟ୍ରକଶନ, ନ୍ୟୁ ଟେକ୍ନୋଲୋଜି ଏବଂ ଆର୍କିଟେକଚର ଏଠାରେ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମ ଅବସରରେ ନାରେଡ୍‌କୋ ଓଡିଶା ସଭାପତି ମନୋଜ ତ୍ରିପାଠୀ, ଟ୍ରେଡ ଫେୟାରର ଆୟୋଜକ ଗୁପ୍ତା ଇଭେଣ୍ଟ କମ୍ପାନୀର ଏମ୍‌ଡି ସୁଜିତ କୁମାର ଗୁପ୍ତା ଏବଂ ପାୟଲ ଆଚାର୍ଯ୍ୟ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Share