ଇଟା ବୋଝେଇ ଇଞ୍ଜିନ ରିକ୍ସା ଓଲଟି ଛାତ୍ରଙ୍କ ଜୀବନ ଗଲା, ଚାଳକ ଗିରଫ

ଜଳେଶ୍ୱର,୨୦।୧୨(ଡି.ଏନ୍‌.ଏ) : ବାଲେଶ୍ୱର ଜିଲା ଜଳେଶ୍ବର ନୂଆ ବଜାର ରେଳ ଫାଟକରେ ଇଟା ବୋଝେଇ ଇଞ୍ଜିନ ରିକ୍ସା ଓଲଟି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ ଛାତ୍ର ଜଣଙ୍କ ଜଳେଶ୍ବର ଟାଉନ ହାଇସ୍କୁଲର ସବ୍ୟସାଚୀ ବେହେରା(୧୬) ।
ସୂଚନା ଅନୁଯାୟୀ ଏକ ଇଟା ବୋଝେଇ ଇଞ୍ଜିନ ରିକ୍ସା ରେଳ ଫାଟକ ପାରି ହେବା ସମୟରେ ଉକ୍ତ ରିକ୍ସା ଚାଳକ ଛାତ୍ର ଜଣଙ୍କୁ ପଛପଟୁ ଠେଲିବା ପାଇଁ କହିଥିଲେ । ମାତ୍ର ଇଞ୍ଜିନ ରିକ୍ସାଟି ଓଭର ଲୋଡ୍‌ ଥିବାରୁ ସବ୍ୟସାଚୀଙ୍କ ଉପରେ ଓଲଟି ଯାଇଥିଲା। ଫଳରେ ସେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଳେଶ୍ବର ହସ୍ପିଟାଲ ନେଇଥିଲେ ଏବଂ ପରେ ଡାକ୍ତର ବାଲେଶ୍ବର ରେଫର କରିଥିଲେ। ମାତ୍ର ବାଲେଶର ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଚାଳକଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଚଳାଇଛି।