Categories: ଖେଳ

ଇଂଲଣ୍ଡ ଦଳକୁ ଫେରିବା ନେଇ ରୟ ଆଶାବାଦୀ

ଲିଡ୍ସ, ୨୧।୬ (ଏଏଫ୍‌ପି)-ଆଘାତପ୍ରାପ୍ତ ଖେଳାଳି ଜାସନ ରୟ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳକୁ ଇଂଲଣ୍ଡ କ୍ରିକେଟ ଦଳକୁ ଫେରିବା ନେଇ ଆଶାବାଦୀ ଅଛନ୍ତି। ଚଳିତ ଆଇସିସି ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ବିଜୟ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଏହି ଡାଇନାମିକ୍‌ ଓପନର ହାମଷ୍ଟ୍ରିଙ୍ଗ ଇଞ୍ଜୁରୀର ଶିକାର ହୋଇଛନ୍ତି। ଫଳରେ ଶୁକ୍ରବାର ହେଡିଙ୍ଗଲେଠାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ସମେତ ଦୁଇଟି ଗେମ୍‌ରୁ ସେ ବାଦ୍‌ ପଡ଼ିଛନ୍ତି। ଗୁରୁବାର ୟର୍କଶାୟାରଠାରେ ସ୍ବଳ୍ପକାଳୀନ ନେଟ୍‌ ପ୍ରାକ୍ଟିସ ସମୟରେ ତାଙ୍କୁ ବ୍ୟାଟିଂ ନ କରିବା ଲାଗି ପରାମର୍ଶ ଦିଆଯାଇଥିଲା। ଏହାସତ୍ତ୍ୱେ ସେ ଲଡର୍‌ସଠାରେ ମଙ୍ଗଳବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଖେଳିବା ଲାଗି ଆଗ୍ରହୀ ଅଛନ୍ତି। ଆୟୋଜକ ଇଂଲଣ୍ଡ ପ୍ରଭାବୀ ପ୍ରଦର୍ଶନ ସହ ପ୍ରଥମ ଥର ବିଶ୍ୱକପ୍‌ ଜିତିବା ସମ୍ଭାବନା ସୃଷ୍ଟି କରିଛି। ଶୁକ୍ରବାର ଇଂଲଣ୍ଡର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ପରିପ୍ରେକ୍ଷୀ ବିବିସି ରେଡିଓର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପରିପ୍ରେକ୍ଷୀରେ ସେ କହିଛନ୍ତି, ଶୀଘ୍ର ଫିଟ୍‌ ହେବା ଲାଗି ମୁଁ କଠିନ ପରିଶ୍ରମ କରୁଛି। ଆଘାତଜନିତ ସମସ୍ୟାରେ କ୍ରମେ ଉନ୍ନତି ଘଟିବାରେ ଲାଗିଛି। ଯଦି ସବୁ ଠିକ୍‌ଠାକ୍‌ ଚାଲେ ତେବେ ଅଷ୍ଟ୍ରେଲିଆ ବିପକ୍ଷ ଗେମ୍‌ ବେଳକୁ ମୁଁ ଫିଟ୍‌ ହୋଇ ଯାଇଥିବି ବୋଲି ରୟ କହିଛନ୍ତି।

Share