ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କୋଟିପତି କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୧୮ା୮-ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ବଳରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମ୍‌କେସିଜି ମେଡିକାଲ କଲେଜ କନିଷ୍ଠ କିରାଣି ଅଜିତ କୁମାର ସାହୁଙ୍କର ୫ ସ୍ଥାନରେ ମଙ୍ଗଳବାର ଭିଜିଲାନ୍ସ ଏକ କାଳୀନ ଚଢାଉ କରିଛି। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୭୬ ଲକ୍ଷ ୨୬ ହଜାର ୬୬୭ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ଅଜିତଙ୍କ ଆମ୍ବପୁଆ ଶିବପଦ୍ମା କଲୋନୀସ୍ଥିତ ଡ୍ୟୁପ୍ଲେକ୍ସ ଅଟ୍ଟାଳିକା, ଗଜପତିନଗର ୭ମ ଲେନରେ ଥିବା ୩ ମହଲା ବିଶିଷ୍ଟ ଅଟ୍ଟାଳିକା, ଲାଞ୍ଜିପଲ୍ଲୀରେ ଥିବା ୩ ମହଲା ଘର, ଏମ୍‌କେସିଜି ହସ୍ପିଟାଲର କାର୍ଯ୍ୟାଳୟ ଓ ଲାଞ୍ଜିପଲ୍ଲୀରେ ଥିବା ଚନ୍ଦନ ଟ୍ରେଡର୍ସ ନାମକ ଏକ ସିମେଣ୍ଟ ଗୋଦାମରେ ଚଢାଉ କରାଯାଇଥିଲା। ଡ୍ୟୁପ୍ଲେକ୍ସ ଅଟ୍ଟାଳିକାର ମୂଲ୍ୟ ୨୬ ଲକ୍ଷ ଟଙ୍କା ଆକଳନ କରାଯାଇଥିବା ବେଳେ ୩ ମହଲା ବିଶିଷ୍ଟ ଅଟ୍ଟାଳିକାର ମୂଲ୍ୟ ୬୧ ଲକ୍ଷ ୮୭ ହଜାର, ଅନ୍ୟ ଏକ ତିନି ମହଲା ଘରର ମୂଲ୍ୟ ୧୨ ଲକ୍ଷ ୫୦ ହଜାର, ବ୍ରହ୍ମପୁର ସହରରେ ତାଙ୍କ ନାମରେ ଥିବା ୮ଟି ଗୃହୋପଯୋଗୀ ପ୍ଲଟର ମୂଲ୍ୟ ୪୧ ଲକ୍ଷ ୩୧ ହଜାର ୭୬୧ ଆକଳନ କରାଯାଇଛି । ସେହିପରି ତାଙ୍କ ଘରେ ଥିବା ୧୯୦ ଗ୍ରାମ ସୁନା ଗହଣାର ମୂଲ୍ୟ ୨ ଲକ୍ଷ ୮୫ ହଜାର ୪୦୦ ଆକଳନ କରାଯାଇଛି । ସେହିପରି ଘରୁ ୧ ଲକ୍ଷ ୯୫ ହଜାର ୭୧୦ ଟଙ୍କା ନଗଦ ମିଳିଥିବା ବେଳେ ଏଲଆଇସି ବଣ୍ଡ ୯ ଲକ୍ଷ ୭୪ ହଜାର ୮୭୦ ଟଙ୍କାର ମିଳିଛି । ଘର କରଣା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ୮ ହଜାର ୭୧୯ ଟଙ୍କା, କାରର ମୂଲ୍ୟ ୬ ଲକ୍ଷ ୯୧ ହଜାର ୮୦୪, ବୁଲେଟର ମୂଲ୍ୟ ୨ ଲକ୍ଷ ୫ ହଜାର, ପଲସର ବାଇକ୍‌ର ମୂଲ୍ୟ ୭୨ ହଜାର ଓ ବ୍ୟାଙ୍କରେ ଥିବା ୨୪ ହଜାର ୪୦୩ ଟଙ୍କା ଆକଳନ କରାଯାଇଛି । ଖବର ଲେଖାହେବା ସୁଦ୍ଧା ତଦନ୍ତ ଜାରି ରହିଛି। ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ ଚାଲିଛି ବୋଲି ଭିଜିଲାନ୍ସ ଏସ୍‌ପି ସ୍ବାଇଁ ସୂଚନା ଦେଇଛନ୍ତି ।