ଆୟୁଷ୍ମାନ୍‌ଙ୍କ ‘ଅନ୍ଧାଧୁନ୍‌’ର ପ୍ରଶଂସା କଲେ ଲତା: କହିଲେ ‘ଅଭିନୟ ଉଚ୍ଚକୋଟୀର’

ବମ୍ବେ: ବଲିଉଡ୍‌ର ଏଭଳି କିଛି ଅଭିନେତା ଅଛନ୍ତି, ଯେଉଁମାନଙ୍କ ପରିଚୟ ଦେବା ଆବଶ୍ୟକ ହୋଇ ନ ଥାଏ। ଗୋଟିଏ ପରେ ଗୋଟିଏ ହିଟ୍‌ ସିନେମା ଭେଟି ଦେଇ ସେ ରେକର୍ଡ କରିଥାଆନ୍ତି। ସେଭଳି ଜଣେ ହେଲେ ଆୟୁଷ୍ମାନ୍‌ ଖୁରାନ୍ନା। ନିକଟରେ ତାଙ୍କର ଆଉ ଏକ ଫିଲ୍ମ ‘ଶଭ ମଙ୍ଗଲ ଜ୍ୟାଦା ସାବଧାନ’। ଆଶା କରୁଥିବା ସଫଳତା ମିଳି ନ ଥିଲେ ସୁଦ୍ଧା ଫିଲ୍ମ ଅପେକ୍ଷାକୃତ ଭଲ ବ୍ୟବସାୟ କରୁଛି। ହେଲେ ଏହି ଫିଲ୍ମ ପୂର୍ବରୁ ଆୟୁଷ୍ମାନ୍‌ ଛଅରୁ ଅଧିକ ହିଟ୍‌ ସିନେମାରେ କାମ କରିଥିଲେ। ‘ଅନ୍ଧାଧୁନ୍‌’ ପାଇଁ ଅଭିନେତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା। ଏବେ ଫିଲ୍ମର ପ୍ରଶଂସା କରିଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସ୍‌କର। ଫିଲ୍ମକୁ ଦେଖିବା ପରେ ଲତା ଏକ ଟୁଇଟ୍‌ କରିଛନ୍ତି। ଫିଲ୍ମରେ ଆୟୁଷ୍ମାନ୍‌ଙ୍କ ଅଭିନୟ ଉଚ୍ଚକୋଟୀର। ଏପରିକି ଗାଇଥିବା ଗୀତଗୁଡ଼ିକ ଭଲଲାଗିଛି। ଭବିଷ୍ୟତ ପାଇଁ ଶୁଭେଚ୍ଛା ବୋଲି ଲତା କହିଛନ୍ତି। ଏହାର ଉତ୍ତର ରଖିଛନ୍ତି ଆୟୁଷ୍ମାନ୍‌। ଏଭଳି କଥା ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବୋଧହୁଏ ଏଭଳି ଉତ୍ସାହପୂର୍ଣ୍ଣ କଥା ଶୁଣିବା ପାଇଁ କଠିନ ପରିଶ୍ରମ କରିଥିଲି। ଆଶୀର୍ବାଦ ପାଇଁ ଧନ୍ୟବାଦ ବୋଲି ସେ କହିଛନ୍ତି।

ତେବେ ଆୟୁଷ୍ମାନ୍‌ଙ୍କ ଏହି ଫିଲ୍ମ କେବଳ ଭାରତରେ ନୁହେଁ, ଚାଇନାରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ଚାଇନା ବକ୍ସ ଅଫିସରେ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଥିଲା। ଏଥିପାଇଁ ଆୟୁଷ୍ମାନ୍‌ଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ଚଳଚ୍ଚିତ୍ରଟି ତାଙ୍କୁ ଜଣେ ଭଲ ଅଭିନେତା କରିଥିବା ଆୟୁଷ୍ମାନ୍‌ ଏକଦା କହିଥିଲେ। ଫିଲ୍ମରେ ପ୍ରମୁଖ ଭୂମିକାରେ ତବ୍ବୁ ଓ ରାଧିକା ଆପ୍ଟେ ଥିଲେ। ଆୟୁଷ୍ମାନ୍‌ ଜଣେ ଅନ୍ଧ ଭୂମିକାରେ ନଜରକୁ ଆସିଥିବା ବେଳେ ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା।

Share