ଆହତ ହେବା ସତ୍ତ୍ୱେ ଶଟ୍‌ ଦେଇଥିଲେ ଗୋବିନ୍ଦା

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଥରେ ସେ ‘ଖୁଦ୍ଦାର’ ଫିଲ୍ମର ଶୁଟିଂ ପାଇଁ ଯାଉଥାଆନ୍ତି। ବାଟରେ ତାଙ୍କର କାର୍‌ ଆକ୍ସିଡେଣ୍ଟର ସମ୍ମୁଖୀନ ହେଲା। ଏଥିରେ ଆହତ ହୋଇ ସେ ଲହୁ ଲୁହାଣ ହୋଇଥିଲେ। ହେଲେ ତାକୁ ଖାତିର ନ କରି ସେ ଶୁଟିଂ ସେଟ୍‌ରେ ପହଞ୍ଚି ଶଟ୍‌ ଦେଇଥିଲେ। ଗୋବିନ୍ଦାଙ୍କ ହିନ୍ଦୀ ସିନେମା କ୍ୟାରିୟର ଆରମ୍ଭ ହୋଇଥିଲା ‘ଇଲଜାମ୍‌’ ଚଳଚ୍ଚିତ୍ରରୁ। ଏ ପର୍ଯ୍ୟନ୍ତ ସେ ପ୍ରାୟ ୧୬୫ଟି ସିନେମାର ଅଭିନୟ କରି ନିଜ ଅଭିନୟ ଦକ୍ଷତାର ପରିଚୟ ଦେଇସାରିଛନ୍ତି। ତାଙ୍କର ଆକ୍ଟିଂ ହେଉ କି ବ୍ୟକ୍ତିଗତ ଜୀବନରେ ଅନେକ ରୋମାଞ୍ଚକର ଘଟଣା ଘଟିଛି। ତାଙ୍କର ସବୁଠାରୁ ପ୍ରିୟ ଅଭିନେତା ଥିଲେ ଧର୍ମେନ୍ଦ୍ର। ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ‘ଡିସ୍କୋ ଡ୍ୟାନ୍ସର’ ଫିଲ୍ମକୁ ସେ ଅନେକ ଥର ଦେଖିଛନ୍ତି। କେବଳ ସେତିକି ନୁହେଁ, ଏଥିରୁ ଡ୍ୟାନ୍ସ ଶିଖି ସେ ନିଜକୁ ଜଣେ ନାମୀ ଡ୍ୟାନ୍ସର ଭାବରେ ପରିଚିତ କରାଇଥିଲେ। ହେଲେ ତାଙ୍କର ଗୋଟିଏ ବଦଗୁଣ ଥିଲା। ଶୁଟିଂ ସେଟ୍‌କୁ ବିଳମ୍ବରେ ଆସିବା ତାଙ୍କର ଏକ ଅଭ୍ୟାସ। ଥରେ ‘ମନି ହୈ ତୋ ହନି ହୈ’ ଫିଲ୍ମର ଶୁଟିଂ ସେଟ୍‌ରେ ଜଣେ ଦର୍ଶକଙ୍କୁ ଚଟକଣା ମାରି ସେ ଚର୍ଚ୍ଚିତ ହୋଇଥିଲେ। କାଦର ଖଁ।ଙ୍କ ସହ ୪୧ଟି ଏବଂ ଶକ୍ତି କପୁରଙ୍କ ସହ ୪୨ଟି ସିନେମାରେ ଗୋବିନ୍ଦା ଅଭିନୟ କରଛନ୍ତି। ସେ କେବଳ ଜଣେ ଅଭିନେତା ନୁହନ୍ତି ବରଂ ଜଣେ କ୍ଲାସିକ ଡ୍ୟାନ୍ସର ଭାବରେ ତାଙ୍କର ସ୍ବତନ୍ତ୍ର ପରିଚୟ ଦେଇଛି। ୧୯୯୯ରେ ବିବିସି ନ୍ୟୁଜ୍‌ ଦ୍ୱାରା ହୋଇଥିବା ଅନ ଲାଇନ୍‌ ପୋଲ୍‌ରେ ସେ ଶ୍ରେଷ୍ଠ ଦଶ ଜଣଙ୍କ ଭିତରେ ୧୦ ମ ସ୍ଥାନରେ ସ୍ଥାନ ପାଇଥିଲେ। ଗୀତ ଗାଇବା ତାଙ୍କର ଆଉ ଏକ ହବି। ‘ସୋଲା ଔର ସବନମ୍‌’, ହସିନା ମାନ୍‌ ଜାୟେଗୀ’, ଏବଂ ‘ଆଖେଁ’ ଫିଲ୍ମ ପାଇଁ ସେ କଣ୍ଠଦାନ କରିଛନ୍ତି। ନୀଲମ ଏବଂ ରାଣୀ ମୁଖାର୍ଜୀଙ୍କ ସହ ତାଙ୍କର ଆଫେୟାର୍ସ ପାଇଁ ସେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିଲେ। ଅନିଲ ଶର୍ମାଙ୍କ ସୁପରହିଟ୍‌ ଫିଲ୍ମ ‘ଗଦ୍ଦର’ ପାଇଁ ପ୍ରଥମେ ଗୋବିନ୍ଦାଙ୍କୁ ଅଫର ଦିଆଯାଇଥିଲା। ହେଲେ ସେ ମନା କରିବାରୁ ସନ୍ନି ଦେଓଲଙ୍କୁ ସାଇନ୍‌ କରାଯାଇଥିଲା। ନିର୍ଦ୍ଦେଶକ ଡେଭିଡ ଧାଓ୍ବନଙ୍କ ସହ ତାଙ୍କର ଯୋଡି ବେଶ୍‌ ଜମିଥିଲା। ଏହାର ଉଦାହରଣ ଭାବରେ ‘କୁଲି ନମ୍ବର ଓ୍ବାନ୍‌’, ‘ହିରୋ ନମ୍ବର ଓ୍ବାନ୍‌’, ‘ସାଜନ ଚଲେ ଶଶୁରାଲ୍‌’କୁ ଉଦାହରଣ ଭାବରେ ନେଇପାରନ୍ତି।

Share